ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ତେବେ ନିର୍ବାଚନ ସମୟରେ ଦଳ ତାଙ୍କୁ ଟିକେଟ୍ ନଦେଇ ସ୍ମୃତିରେଖା ପହି ଙ୍କୁ ପ୍ରାର୍ଥୀ କରିବାରୁ, ଲିକୁ ସାହୁ ବିଦ୍ରୋହୀ ହୋଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ଏଥିପାଇଁ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ମଧ୍ୟ ସେ ଜନସମର୍ଥନ ବଳରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ହରାଇ ଧର୍ମଶାଳାରୁ ବିଜୟୀ ହୋଇଥିଲେ । ତେବେ ବର୍ତ୍ତମାନ ନିର୍ବାଚନ ପରେ ସେ ପୁଣି ବିଜେପି ସରକାରଙ୍କୁ ସମର୍ଥନ ଜଣାଇବା ସହ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ।
ନିକଟରେ ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ ଅବସରରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ର ମେଗା ରକ୍ତଦାନ ଶିବିରରେ ଲିକୁ ସାହୁ ଧର୍ମଶାଳାରୁ ୫ ହଜାରରୁ ଊର୍ଦ୍ଧ୍ୱ ସମର୍ଥକଙ୍କୁ ଆଣି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଏହାଫଳରେ ରାଜନୈତିକ ମହଲରେ ଲିକୁ ଥିଲେ ବୋଲି ବଞ୍ଚେଇଦେଲେ ବୋଲି ଚର୍ଚ୍ଚା ଜୋର ଧରିଛି।
କେବଳ ଭୁବନେଶ୍ୱର କାର୍ଯ୍ୟକ୍ରମ ନୁହେଁ, ନୂଆପଡ଼ା ଉପନିର୍ବାଚନରେ ମଧ୍ୟ ଲିକୁ ସାହୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିଥିଲା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନୂଆପଡ଼ା ଉପନିର୍ବାଚନ ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ୱ ଲିକୁ ସାହୁଙ୍କୁ ଦେଇଥିଲେ । ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ମାନବସମ୍ବଳ ଯୋଗାଡ଼ ପର୍ଯ୍ୟନ୍ତ ସବୁକିଛି ସେ ନିଜେ ସମ୍ଭାଳିଥିଲେ । ଉପନିର୍ବାଚନ ଫଳାଫଳ ଆସିବା ପରେ ବିଜେପିର ବିଜୟ ଉତ୍ସବରେ ମନମୋହନ ସାମଲ ଖୋଲାଖୋଲି ଭାବେ ଲିକୁ ସାହୁଙ୍କ ପ୍ରଶଂସା କରିଥିଲେ ଏବଂ କେବଳ ତାଙ୍କ ଯୋଗୁଁ ହିଁ ଦଳ ଏହି ବିଜୟ ହାସଲ କଲା ବୋଲି କହିଥିଲେ, ଯାହା ଦଳର ଅନ୍ୟ ପୁରୁଣା ନେତା ଓ କର୍ମୀଙ୍କୁ ଗଭୀର ଆହତ କରିଥିଲା ।
ଏହା ବାଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ରାଲିରେ ମଧ୍ୟ ଲିକୁ ସାହୁ ବିଶାଳ ଜନସମାଗମ ଓ ଲୋକ ବଳ ପଠାଇଥିଲେ । ବର୍ତ୍ତମାନ ଯେକୌଣସି ବଡ଼ ଦଳୀୟ କାର୍ଯ୍ୟକ୍ରମ କିମ୍ବା ରାଲି ହେଲେ ବିଜେପି ନେତାମାନେ ପ୍ରଥମେ ଲିକୁ ସାହୁଙ୍କୁ ହିଁ ମନେ ପକାଉଛନ୍ତି । ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେମିତି ସମ୍ପୂର୍ଣ୍ଣ ବିଜେପି ସଙ୍ଗଠନକୁ ଲିକୁ ସାହୁ ଏକାକୀ ନିୟନ୍ତ୍ରଣ ଓ ପରିଚାଳନା କରୁଛନ୍ତି ।
ସାରା ରାଜ୍ୟରେ ବିଜେପିର ୭୮ ଜଣ ବିଧାୟକ ଓ ୨୦ ଲୋକସଭା ସାଂସଦ ଥିବା ସତ୍ତ୍ୱେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯେକୌଣସି ରାଲି, ଜନସମାଗମ କିମ୍ବା ଲୋକ ଆବଶ୍ୟକ ହେଉ, ନହେଲେ ଆର୍ଥିକ ସହାୟତା ହେଉ, ସବୁଠି ଲିକୁ ସାହୁ ହିଁ ଆଗଧାଡ଼ିରେ ନଜର ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ବିଜେପିର ଶୀର୍ଷ ନେତୃତ୍ୱ ଗଣ ଜଣେ ସ୍ୱାଧୀନ ବିଧାୟକଙ୍କୁ ଏତେ ଅଧିକ ପ୍ରାଧାନ୍ୟ ଓ ଗୁରୁତ୍ୱ ଦେଉଥିବାରୁ ଦଳର ପୁରୁଣା ଓ ନିଷ୍ଠାପର ନେତା କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ବିଶେଷ କରି ପଡ଼ୋଶୀ ବଡ଼ଚଣା ନିର୍ବାଚନ ମଣ୍ଡଳୀ ପରି ସ୍ଥାନଗୁଡ଼ିକରେ ଏହାର ପ୍ରଭାବ ପଡ଼ିଛି, ଯେଉଁଠି ଦଳୀୟ ବିବାଦ ଓ ଅବହେଳାରେ ଅସନ୍ତୁଷ୍ଟ ହୋଇ ଅନେକ ନେତା ଓ କର୍ମୀ ବିଜେପି ଛାଡ଼ିଥିବା ଦେଖିବାକୁ ମିଳିଛି ।
ରାଜଧାନୀ ଭଳି ପ୍ରମୁଖ ସ୍ଥାନରେ ଏକ ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯଦି ଶାସକ ଦଳକୁ କେବଳ ଜଣେ ସ୍ୱାଧୀନ ବିଧାୟକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଛି, ତେବେ ରାଜ୍ୟର ଅନ୍ୟ ନେତା ଓ କର୍ମୀଙ୍କ ଭୂମିକାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଗାମୀ ମାସେ ଯାଏଁ ଏହି ଅଭିଯାନ ଚାଲିବାକୁ ଥିବାବେଳେ ଏବଂ ସାମ୍ନାରେ ପଞ୍ଚାୟତ ନିର୍ବାଚନ ଥିବାବେଳେ, ତୃଣମୂଳ ସ୍ତରରେ କର୍ମୀଙ୍କ ଏପରି ଉଦାସୀନତା ଓ ଆଭ୍ୟନ୍ତରୀଣ କନ୍ଦଳ ଦଳ ପାଇଁ ଶୁଭଙ୍କର ନହୋଇପାରେ ।





