ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍ ବିଲ୍ ପୈଠ ନ ହୋଇପାରିବା କାରଣରୁ ରାଜ୍ୟର ଶତାଧିକ ବିଦ୍ୟାଳୟରେ ଲାଇନ୍ କାଟି ଦିଆଯିବା ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଅନ୍ଧାରରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ପୁରୀ ଓ ଯାଜପୁର ଭଳି ପ୍ରମୁଖ ଜିଲ୍ଲାରୁ ଆସିଥିବା ଅଭିଯୋଗ ଶିକ୍ଷା ବିଭାଗ ଓ ପ୍ରଶାସନିକ ପରିଚାଳନାର ବଡ଼ ବିଫଳତାକୁ ପଦାରେ ପକାଇଛି ।
ସୂଚନା ମୁତାବକ, ବିଞ୍ଝାରପୁର ଅଞ୍ଚଳର ମୁରଲୀଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବକେୟା ବିଲ୍ ପାଇଁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି, ଯାହା ଫଳରେ ସେଠାରେ ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହୋଇଛି । ସେହିଭଳି ବକେୟା ବିଦ୍ୟୁତ୍ ବିଲ୍ ପୈଠ ହୋଇନଥିବାରୁ ହାଟଡ଼ିହି ବ୍ଳକ୍ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମେତ ବ୍ଳକର ୭ଟି ହାଇସ୍କୁଲର ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯାଇଚି । ସେହିପରି ଝାରପୋଖରିଆ ର ସାରସକଣା ବ୍ଲକ୍ ରେ ଦଶ ରୁ ଅଧିକ ସ୍କୁଲ, ଝାରସୁଗୁଡ଼ା ଜିଲ୍ଲାର କେତେକ ବିଦ୍ୟାଳୟ ଏବଂ ବ୍ରହ୍ମପୁର ଏବଂ ଦିଗପହଣ୍ଡି ରେ ବିନା ନୋଟିସ ରେ କିଛି ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମଧ୍ୟ ସମାନ ଭାବେ ବିଜୁଳି ସଂଯୋଗ କାଟି ଦିଆଯିବାରୁ ଅତ୍ୟାଧିକ ଗୁଳୁଗୁଳି ମଧ୍ୟରେ ଛୋଟ ଛୋଟ ଛାତ୍ରଛାତ୍ରୀ ଓ ଶିଶୁମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କେତେକ ସ୍ଥାନରେ ପ୍ରଶାସନିକ ସ୍ତରରେ ତୁରନ୍ତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ବିଶେଷ କରି କୋରେଇ ଅଞ୍ଚଳର ୫୯ ଟି ସ୍କୁଲ ରେ ଉପୁଜିଥିବା ବିଦ୍ୟୁତ୍ କାଟ୍ ସମସ୍ୟାକୁ ଦୃଷ୍ଟିରେ ରଖି କୋରେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ତୁରନ୍ତ ୩ ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ରେ ସମୁଦାୟ ୧୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ସେହିପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ର ୧୪୨ଟି ସ୍କୁଲ ମଧ୍ୟରୁ ୯୮ ଟି ସ୍କୁଲରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା । ରସୁଲପୁର ବ୍ଲକ୍ର ସ୍ମାର୍ଟ ମିଟର ଲଗାଯାଇଥିବା ଏହି ସ୍କୁଲଗୁଡ଼ିକ ଉପରେ ୬ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ବିଲ୍ ବକେୟା ରହିଥିଲା । ଫଳରେ ସେପ୍ଟେମ୍ବର ୧୬ ତାରିଖରୁ ସ୍ୱୟଂକ୍ରିୟ (ଅଟୋମେଟିକ୍) ଭାବେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସେହିଭଳି ଗୋପବନ୍ଧୁ ନଗର ବ୍ଲକର ୮୦ ପ୍ରତିଶତ ସରକାରୀ ଉଚ୍ଚବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ପ୍ରବଳ ଗୁଳୁଗୁଳିରେ ଛୋଟ ଛୋଟ ପିଲାମାନେ ସପ୍ତାହ ଧରି ସିଝୁଛନ୍ତି। ତେବେ ବିଦ୍ୟାଳୟଗୁଡ଼ିକରେ ୩ ହଜାରରୁ ୫ ହଜାର ପର୍ଯ୍ୟନ୍ତ ବିଲ୍ ବାକି ଥିବାବେଳେ ବିଦ୍ୟୁତ୍ ବିଭାଗ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ କାଟି ଦେଇଥିବା ସୂଚନା ମିଳିଛି ।
ଲାଇନ୍ କଟିବା ପରେ କିଛି ଦିନ ଧରି ସ୍କୁଲଗୁଡ଼ିକ ଅନ୍ଧାରରେ ରହିବା ସହ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ମଧ୍ୟରେ ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହୋଇଥିଲା । ଏହାପରେ ଶିକ୍ଷା ବିଭାଗ ପକ୍ଷରୁ ଜରୁରୀକାଳୀନ ଭାବେ କିଛି ଟଙ୍କାର ଆଂଶିକ ବକେୟା ଅର୍ଥ ପୈଠ କରାଯିବା ପରେ ପୁନଃ ସଂଯୋଗ ଦିଆଯାଇଛି । କିନ୍ତୁ ଏବେ ବି କିଛି ଟଙ୍କା ବକେୟା ରହିଥିବାରୁ, ଯଦି ସମ୍ପୂର୍ଣ୍ଣ କିମ୍ବା ଆଗାମୀ ବକେୟା ଅର୍ଥ ତୁରନ୍ତ ଦାଖଲ ନ କରାଯାଏ, ତେବେ ପୁଣି ଥରେ ବିଦ୍ୟୁତ୍ କାଟ୍ ହେବ ବୋଲି ବିଦ୍ୟୁତ୍ ବିଭାଗ ସ୍ପଷ୍ଟ ଚେତାବନୀ ଦେଇଛି ।
ତେବେ ଏହି ସମସ୍ୟାର ମୂଳ କାରଣ ହେଉଛି ସରକାରଙ୍କ ପକ୍ଷରୁ ବିଲ୍ ବାବଦକୁ ଆସୁଥିବା ଅନୁଦାନ ଅର୍ଥରେ ବ୍ୟାପକ ବିଳମ୍ବ ହେବା । ରସୁଲପୁର ଏବିଇଓ (ABEO) ପ୍ରଭଞ୍ଜନ ପତି ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ବିଲ୍ ବାବଦ ଅର୍ଥ ମିଳିବାରେ ଚଳିତ ବର୍ଷ ବିଳମ୍ବ ହୋଇଥିଲା । ପ୍ରତିମାସରେ ସ୍କୁଲରେ ଥିବା କଣ୍ଟିଜେନ୍ସି ପାଣ୍ଠିରୁ ବିଦ୍ୟୁତ୍ ବିଲ୍ ପୈଠ କରାଯାଇପାରିଥାନ୍ତା, ଯାହା ପରେ ସରକାରୀ ଅନୁଦାନରୁ ଭରଣା ହୋଇଥାନ୍ତା । ସମ୍ପୃକ୍ତ ସ୍କୁଲର ଶିକ୍ଷକମାନେ ଏଥିପ୍ରତି ଯତ୍ନବାନ୍ ହୋଇଥିଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇନଥାନ୍ତା ବୋଲି ସେ ପ୍ରକାଶ କରିବା ସହ ଖୁବ୍ଶୀଘ୍ର ସବୁ ସ୍କୁଲର ବିଲ୍ ପୈଠ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ଗୋଟିଏ ପଟେ ସରକାର ସ୍ମାର୍ଟ ସ୍କୁଲ, ଇ-ଲର୍ଣ୍ଣିଂ ଓ ଆଧୁନିକ ଶିକ୍ଷାଦାନର ଡିଣ୍ଡିମ ପିଟୁଥିବା ବେଳେ, ଅନ୍ୟପଟେ କେବଳ ବିଜୁଳି ବିଲ୍ ପୈଠ ନ ହୋଇପାରିବା ଯୋଗୁଁ ସ୍କୁଲଗୁଡ଼ିକ ଅନ୍ଧାରରେ ରହିବା ଶିକ୍ଷା ବ୍ୟବସ୍ଥାର ନଗ୍ନ ପ୍ରଶାସନିକ ତ୍ରୁଟିକୁ ଦର୍ଶାଉଛି । ଯଦି ତୁରନ୍ତ ସମସ୍ତ ବକେୟା ଅର୍ଥ ପୈଠ କରାନଯାଏ, ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗୀନ୍ ହେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯିବ ।
ରାଜ୍ୟରେ ବକେୟା ବିଜୁଳି ବିଲ୍ ଯୋଗୁଁ ସ୍କୁଲଗୁଡ଼ିକ ଅନ୍ଧାରରେ ରହିବା ଖବର ସମସ୍ତ ସ୍ଥାନୀୟ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ସ୍କୁଲଗୁଡ଼ିକର ଏହି ଶୋଚନୀୟ ସ୍ଥିତି ଏବଂ ପ୍ରଶାସନିକ ସମସ୍ୟା ବିଷୟରେ ରାଜ୍ୟର ସବୁ ପ୍ରମୁଖ ଖବରକାଗଜରେ ବ୍ୟାପକ ଭାବେ ଚର୍ଚ୍ଚା ହୋଇଛି ।





