ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ପିନ୍ ବାର୍ତ୍ତା: ଓଡ଼ିଶାର କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପାହାଡ଼ ଅଞ୍ଚଳରେ ପ୍ରସ୍ତାବିତ ବକ୍ସାଇଟ୍ ଖନନ ପାଇଁ ଡ୍ରୋନ୍ ସର୍ଭେକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ଓ ଉତ୍ତେଜନା ଦେଖା ଦେଇଛି । ପଞ୍ଚମ ଅନୁସୂଚୀ ଅନ୍ତର୍ଭୁକ୍ତ ଏହି ସୁରକ୍ଷିତ ଆଦିବାସୀ ଅଞ୍ଚଳରେ କଳିଙ୍ଗ ଆଲୁମିନା ଲିମିଟେଡ୍ (ଆଦାନୀ ଗ୍ରୁପ୍) ପକ୍ଷରୁ ବିନା ଅନୁମତିରେ ଡ୍ରୋନ୍ ସର୍ଭେ କରାଯାଉଥିବା ଅଭିଯୋଗ କରି ଶହ ଶହ ଗ୍ରାମବାସୀ ଏହାକୁ କଡ଼ା ବିରୋଧ କରିଛନ୍ତି । ସ୍ଥାନୀୟ ଲୋକମାନେ ଏକାଠି ହୋଇ ସର୍ଭେ ଟିମ୍‌କୁ ଘେରାଉ କରିବା ସହ କମ୍ପାନୀ ପ୍ରତିନିଧି ଦିଲୀପ ପରିଚ୍ଛା, ପ୍ରମୋଦ ହିଆଲ ଓ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖି ବନ୍ଧକ ବନାଇଥିଲେ । ଖବର ପାଇ ପାଡୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧକଙ୍କୁ ଉଦ୍ଧାର କରିବା ସହ ସର୍ଭେରେ ବ୍ୟବହୃତ ଡ୍ରୋନ୍ ଓ ଗାଡ଼ିଗୁଡ଼ିକୁ ଜବତ କରି ସର୍ଭେ କାର୍ଯ୍ୟ ବନ୍ଦ କରିଛି ।

ଏହି ଘଟଣାକୁ ନେଇ ତୈନ୍ତା, ଖଡ଼ାପୁଟ, ଚିଲମ୍, ବାଲଡା, ସୋପୁଟ, ସେମଲା, ବାନୁର, କାନ୍ତି, କଣ୍ଟାସାରୁ ଆଦି ଗ୍ରାମର ଗ୍ରାମସଭା ସଦସ୍ୟ ଏବଂ ଗ୍ରାମବାସୀମାନେ ୧୫ ସେପ୍ଟେମ୍ବର ୨୦୨୬ ରେ ପାଡୁଆ ଥାନା ଅଧିକାରୀଙ୍କୁ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର ୧୨ ରୁ ୧୫ ତାରିଖ ମଧ୍ୟରେ ସ୍ଥାନୀୟ ଜଙ୍ଗଲ, ବ୍ୟକ୍ତିଗତ ଚାଷ ଜମି ଓ ଗ୍ରାମୀଣ ଅଞ୍ଚଳ ଉପରେ କ୍ରମାଗତ ଭାବେ ଅନଧିକୃତ ଡ୍ରୋନ୍ ସର୍ଭେ କରାଯାଇଛି, ଯାହା ସ୍ଥାନୀୟ ଲୋକଙ୍କ ମନରେ ପ୍ରବଳ ଭୟ, ଆଶଙ୍କା ସୃଷ୍ଟି କରିଛି ।

ଲିଖିତ ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ଡ୍ରୋନ୍ ସର୍ଭେର ଉଦ୍ଦେଶ୍ୟ, ପରିସର, କାର୍ଯ୍ୟକାରୀ ସଂସ୍ଥା କିମ୍ବା ସଂଗୃହିତ ତଥ୍ୟର ବ୍ୟବହାର ସମ୍ପର୍କରେ ଗ୍ରାମସଭା କିମ୍ବା ଗ୍ରାମବାସୀଙ୍କୁ କୌଣସି ପୂର୍ବ ସୂଚନା ଦିଆଯାଇନାହିଁ କିମ୍ବା ଅନୁମତି ନିଆଯାଇନାହିଁ । ପେସା (PESA) ଆଇନ ଏବଂ ପଞ୍ଚମ ଅନୁସୂଚୀ ଅଧୀନରେ ଆଦିବାସୀ ଓ ସ୍ଥାନୀୟ ସମ୍ପ୍ରଦାୟର ଜଳ, ଜଙ୍ଗଲ, ଜମି ଉପରେ ବୈଧାନିକ ଓ ପାରମ୍ପରିକ ଅଧିକାର ରହିଥିବା ସତ୍ତ୍ୱେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ଏହା ବ୍ୟତୀତ, ଏହି ଜମି, ଜଙ୍ଗଲ ଓ ସାମ୍ପ୍ରଦାୟିକ ଅଧିକାର ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟାଳୟ (Hon’ble High Court of Odisha) ଏବଂ କଲିକତା ସ୍ଥିତ ଜାତୀୟ ସବୁଜ ପ୍ରାଧିକରଣ (NGT Eastern Zone Bench, Kolkata) ରେ ବିଚାରାଧୀନ ରହିଛି । ଏଭଳି ପରିସ୍ଥିତିରେ ଆଇନଗତ ନିୟମକୁ ଉଲ୍ଲଂଘନ କରି କରାଯାଉଥିବା ସର୍ଭେ ଅଦାଲତଙ୍କ କାର୍ଯ୍ୟଧାରାରେ ହସ୍ତକ୍ଷେପ କରିବାର ଆଶଙ୍କା ରହିଛି ।

ଗ୍ରାମବାସୀମାନେ ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି ଯେ ଏହି ଅନଧିକୃତ ସର୍ଭେ ବିରୋଧରେ ତୁରନ୍ତ ଏଫ୍‌ଆଇଆର୍ (FIR) ରୁଜୁ କରାଯାଉ ଏବଂ ସମସ୍ତ ବେଆଇନ ଡ୍ରୋନ୍ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ଏହା ସହିତ କମ୍ପାନୀ ପ୍ରତିନିଧି ଶ୍ରୀ ଦିଲୀପ ଓ ଡ୍ରୋନ୍ ଚାଳକଙ୍କ ନିକଟରେ ବୈଧ ଅନୁମତିପତ୍ର ଅଛି କି ନାହିଁ ତାହାର ତଦନ୍ତ କରିବାକୁ ଏବଂ ସଂଗୃହିତ ଡାଟା/ଭିଡିଓର ବ୍ୟବହାର ଉପରେ କଟକଣା ଲଗାଇବାକୁ ଗ୍ରାମସଭା ନିବେଦନ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୮ ମସିହାରେ ବାଲଡା ପାହାଡ଼ ଓ ଗୁମ୍ଫା ଅଞ୍ଚଳକୁ ପରିବେଶ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଖନନ ପାଇଁ ନିଲାମ କରାଯାଇଥିଲା । ଏହାପୂର୍ବରୁ ମଧ୍ୟ କମ୍ପାନୀର ମୋବାଇଲ ସ୍ୱାସ୍ଥ୍ୟ ସେବା ଗାଡ଼ିକୁ ଗ୍ରାମବାସୀ ବିରୋଧ କରିଥିଲେ । ବର୍ତ୍ତମାନ ଗ୍ରାମସଭାର ସମ୍ମତି ଓ ସକ୍ରିୟ ଭାଗିଦାରୀ ବିନା ଜମି ଓ ଜଙ୍ଗଲ ଉପରେ କୌଣସି କାର୍ଯ୍ୟକଳାପକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ