ଆଦିବାସୀ ଚାହାଁନ୍ତି ସମ୍ମାନ ଓ ମର୍ଯ୍ୟାଦା

ଆଦିବାସୀ ବା ଜନଜାତି ସମାଜ ହେଉଛନ୍ତି ପ୍ରକୃତିର ସନ୍ତାନ , ଯେଉଁମାନେ ନିଜର ସ୍ୱତନ୍ତ୍ର ସଂସ୍କୃତି , ଭାଷା ଏବଂ ପରମ୍ପରାକୁ ନେଇ ଶତାବ୍ଦୀ ଶତାବ୍ଦୀ ଧରି ଏହି ମାଟିରେ ବାସ କରିଆସୁଛନ୍ତି । ସଭ୍ୟତା ଓ ସହରୀକରଣର ଅନେକ ପୂର୍ବରୁ ଏହି ପ୍ରକୃତିର ମୂଳ ବାସିନ୍ଦାମାନେ ହିଁ ପୃଥିବୀର ଅସଲ ରକ୍ଷାକର୍ତ୍ତା ସାଜି ଜଙ୍ଗଲ ଓ ମାଟିକୁ ବଞ୍ଚାଇ ରଖିଛନ୍ତି । କିନ୍ତୁ ଆଜିର ତଥାକଥିତ ଆଧୁନିକ ସମାଜରେ ସେମାନଙ୍କୁ ଯେଉଁ ସମ୍ମାନ ଓ ସ୍ୱୀକୃତି ମିଳିବା କଥା , ତାହା ବୋଧହୁଏ କେଉଁଠି ନା କେଉଁଠି ହଜିଯାଇଛି । ଆମ ସମାଜର ଦ୍ୱିଚାରିତା ଏହି କଥାରୁ ହିଁ ସ୍ପଷ୍ଟ ଜଣାପଡ଼େ ଯେ , ଆଜି ସହରର ବଡ଼ ବଡ଼ ଶୋ’ରୁମ୍ ଏବଂ ପ୍ରଦର୍ଶନୀରେ ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ଜୈବିକ ସାମଗ୍ରୀ , ହସ୍ତଶିଳ୍ପ , ଜଙ୍ଗଲଜାତ ଦ୍ରବ୍ୟ ଏବଂ ସେମାନଙ୍କର ପାରମ୍ପରିକ ଚିତ୍ରକଳାର ବହୁତ ଚାହିଦା ରହିଛି । ଲୋକେ ମହଙ୍ଗା ଦାମରେ ଆଦିବାସୀ ପ୍ରଡକ୍ଟ୍ କିଣିବାକୁ ଗର୍ବ ବୋଧ କରନ୍ତି , କିନ୍ତୁ ସେହି ସାମଗ୍ରୀ ପଛରେ ଥିବା ରକ୍ତଭିଜା ଶ୍ରମ ଓ ସେହି ମଣିଷମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ କୁଣ୍ଠାବୋଧ କରନ୍ତି ।

ଓଡ଼ିଶା ଭିତରେ ହେଉ କିମ୍ବା ରାଜ୍ୟ ବାହାରେ , ଆଜି ବି ଆଦିବାସୀମାନଙ୍କୁ କେବଳ ଭୋଟ୍ ବ୍ୟାଙ୍କ କିମ୍ବା ପର୍ଯ୍ୟଟନର ଏକ ମାଧ୍ୟମ ଭାବେ ଦେଖାଯାଉଛି । ସେମାନଙ୍କ ସରଳତାର ସୁଯୋଗ ନେଇ ଅନେକ ସମୟରେ ସେମାନଙ୍କୁ ଶୋଷଣ କରାଯାଉଛି ।
ଏହି ଅସମ୍ମାନ ପଛର ସବୁଠାରୁ ବଡ଼ କାରଣ ହେଉଛି ଆମର ମାନସିକତା । ସହରୀ ସଭ୍ୟତା ନିଜକୁ ଅଧିକ ଶିକ୍ଷିତ ଏବଂ ବିକଶିତ ଭାବି ଆଦିବାସୀମାନଙ୍କର ଜୀବନଶୈଳୀକୁ ଅନୁନ୍ନତ କିମ୍ବା ପଛୁଆ ବୋଲି ଧରିନିଏ । ସରକାରୀ ଯୋଜନା ସତ୍ତ୍ୱେ ଜଳ , ଜଙ୍ଗଲ ଓ ଜମିର ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଉଛି । ଶିଳ୍ପାୟନ ନାମରେ ସେମାନଙ୍କୁ ନିଜ ଭିଟାମାଟିରୁ ବିତାଡ଼ିତ ହେବାକୁ ପଡ଼ୁଛି , ଯାହା ସେମାନଙ୍କର ଅସ୍ତିତ୍ୱ ପ୍ରତି ଏକ ବଡ଼ ଆଘାତ । ଏହି ସମସ୍ତ ଅବହେଳା ମଧ୍ୟରେ ବି ଓଡ଼ିଶାର ଜନଜାତି ସଂସ୍କୃତି ସମଗ୍ର ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଓଡ଼ିଶାରେ ୬୨ରୁ ଅଧିକ ଭିନ୍ନ ଭିନ୍ନ ଆଦିବାସୀ ସମ୍ପ୍ରଦାୟ ବାସ କରନ୍ତି , ଯାହା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୨.୮ ପ୍ରତିଶତ । ଏଥିମଧ୍ୟରୁ ୧୩ଟି ଜନଜାତିଙ୍କୁ ‘ବିଶେଷ ଭାବେ ବିପନ୍ନ ଜନଜାତି ସମୂହ’ (PVTGs) ଭାବେ ଚିହ୍ନଟ କରାଯାଇଛି , ଯାହା ସାରା ଦେଶରେ ସର୍ବାଧିକ ।

ଓଡ଼ିଶାର ସବୁଠାରୁ ବଡ଼ ଆଦିବାସୀ ସମ୍ପ୍ରଦାୟ ହେଉଛନ୍ତି କନ୍ଧ , ଯେଉଁମାନେ କନ୍ଧମାଳ , ରାୟଗଡ଼ା , କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ବାସ କରନ୍ତି ଏବଂ ଏମାନଙ୍କ ମଧ୍ୟରେ ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧ ବେଶ୍ ଜଣାଶୁଣା । ସେହିପରି ମୟୂରଭଞ୍ଜ , କେନ୍ଦୁଝର ଏବଂ ସୁନ୍ଦରଗଡ଼ ଭଳି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସାନ୍ତାଳ , କୋଲ୍ହା ଏବଂ ଭୂୟାଁ ଜନଜାତି ବହୁ ସଂଖ୍ୟାରେ ରହୁଥିବା ବେଳେ ମାଲକାନଗିରି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ନିଜର ଆଦିମ ସଂସ୍କୃତି ପାଇଁ ପ୍ରସିଦ୍ଧ ବୋଣ୍ଡା ଏବଂ ଦିଦାୟୀ ଜନଜାତି ବାସ କରନ୍ତି । ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ସୌରା ଜନଜାତିଙ୍କ ମୁଖ୍ୟ ବାସସ୍ଥଳୀ ହୋଇଥିବା ବେଳେ କୋୟା ଜନଜାତି ମାଲକାନଗିରିର ସମତଳ ଅଞ୍ଅଳରେ ଏବଂ ଜୁଆଙ୍ଗ ଜନଜାତି ମୁଖ୍ୟତଃ କେନ୍ଦୁଝର ଓ ଢେଙ୍କାନାଳର ଜଙ୍ଗଲ ଘେରା ଅଞ୍ଚଳରେ ରୁହନ୍ତି ।

ଏହି ସମସ୍ତ ଭିନ୍ନତା ଏବଂ ସାଂସ୍କୃତିକ ଗୌରବ ସତ୍ତ୍ୱେ ଆଜିର ସମୟରେ ଆଦିବାସୀମାନେ ନିଜ ହକ ବା ମୌଳିକ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି । ଏହି ସମାଜ ମଧ୍ୟ ଅନ୍ୟମାନଙ୍କ ଭଳି ସମାନ ଆଦର ଓ ଆତ୍ମସମ୍ମାନର ସହ ବଞ୍ଚିବାକୁ ଚାହେଁ ଏବଂ ସେମାନେ ପ୍ରକୃତରେ ଏହାର ଯୋଗ୍ୟ । ସେମାନଙ୍କର ସରଳତାକୁ ସେମାନଙ୍କର ଦୁର୍ବଳତା ଭାବିବା ଆମର ସବୁଠାରୁ ବଡ଼ ଭୁଲ । ଯଦି ଆମେ ସତରେ ଆଦିବାସୀ ସମାଜକୁ ସମ୍ମାନ ଦେବାକୁ ଚାହୁଁ , ତେବେ କେବଳ ସେମାନଙ୍କ ପ୍ରଡକ୍ଟ୍‌କୁ ନୁହେଁ , ବରଂ ସେମାନଙ୍କର ପ୍ରାକୃତିକ ଜ୍ଞାନ , ସଂସ୍କୃତି ଏବଂ ଅସ୍ତିତ୍ୱକୁ ସମ୍ମାନ କରିବାକୁ ହେବ । ସେମାନଙ୍କୁ ସହାନୁଭୂତି ନୁହେଁ , ସମାନ ଅଧିକାର ଓ ସମାନ ସାମାଜିକ ସ୍ତର ଦେବା ହିଁ ସେମାନଙ୍କ ପ୍ରତି ପ୍ରକୃତ ଆଦର ହେବ ।

  • Related Posts

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

    Leave a Reply

    Your email address will not be published. Required fields are marked *

    You Missed

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ