ଆଦିବାସୀ ବା ଜନଜାତି ସମାଜ ହେଉଛନ୍ତି ପ୍ରକୃତିର ସନ୍ତାନ , ଯେଉଁମାନେ ନିଜର ସ୍ୱତନ୍ତ୍ର ସଂସ୍କୃତି , ଭାଷା ଏବଂ ପରମ୍ପରାକୁ ନେଇ ଶତାବ୍ଦୀ ଶତାବ୍ଦୀ ଧରି ଏହି ମାଟିରେ ବାସ କରିଆସୁଛନ୍ତି । ସଭ୍ୟତା ଓ ସହରୀକରଣର ଅନେକ ପୂର୍ବରୁ ଏହି ପ୍ରକୃତିର ମୂଳ ବାସିନ୍ଦାମାନେ ହିଁ ପୃଥିବୀର ଅସଲ ରକ୍ଷାକର୍ତ୍ତା ସାଜି ଜଙ୍ଗଲ ଓ ମାଟିକୁ ବଞ୍ଚାଇ ରଖିଛନ୍ତି । କିନ୍ତୁ ଆଜିର ତଥାକଥିତ ଆଧୁନିକ ସମାଜରେ ସେମାନଙ୍କୁ ଯେଉଁ ସମ୍ମାନ ଓ ସ୍ୱୀକୃତି ମିଳିବା କଥା , ତାହା ବୋଧହୁଏ କେଉଁଠି ନା କେଉଁଠି ହଜିଯାଇଛି । ଆମ ସମାଜର ଦ୍ୱିଚାରିତା ଏହି କଥାରୁ ହିଁ ସ୍ପଷ୍ଟ ଜଣାପଡ଼େ ଯେ , ଆଜି ସହରର ବଡ଼ ବଡ଼ ଶୋ’ରୁମ୍ ଏବଂ ପ୍ରଦର୍ଶନୀରେ ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ଜୈବିକ ସାମଗ୍ରୀ , ହସ୍ତଶିଳ୍ପ , ଜଙ୍ଗଲଜାତ ଦ୍ରବ୍ୟ ଏବଂ ସେମାନଙ୍କର ପାରମ୍ପରିକ ଚିତ୍ରକଳାର ବହୁତ ଚାହିଦା ରହିଛି । ଲୋକେ ମହଙ୍ଗା ଦାମରେ ଆଦିବାସୀ ପ୍ରଡକ୍ଟ୍ କିଣିବାକୁ ଗର୍ବ ବୋଧ କରନ୍ତି , କିନ୍ତୁ ସେହି ସାମଗ୍ରୀ ପଛରେ ଥିବା ରକ୍ତଭିଜା ଶ୍ରମ ଓ ସେହି ମଣିଷମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ କୁଣ୍ଠାବୋଧ କରନ୍ତି ।
ଓଡ଼ିଶା ଭିତରେ ହେଉ କିମ୍ବା ରାଜ୍ୟ ବାହାରେ , ଆଜି ବି ଆଦିବାସୀମାନଙ୍କୁ କେବଳ ଭୋଟ୍ ବ୍ୟାଙ୍କ କିମ୍ବା ପର୍ଯ୍ୟଟନର ଏକ ମାଧ୍ୟମ ଭାବେ ଦେଖାଯାଉଛି । ସେମାନଙ୍କ ସରଳତାର ସୁଯୋଗ ନେଇ ଅନେକ ସମୟରେ ସେମାନଙ୍କୁ ଶୋଷଣ କରାଯାଉଛି ।
ଏହି ଅସମ୍ମାନ ପଛର ସବୁଠାରୁ ବଡ଼ କାରଣ ହେଉଛି ଆମର ମାନସିକତା । ସହରୀ ସଭ୍ୟତା ନିଜକୁ ଅଧିକ ଶିକ୍ଷିତ ଏବଂ ବିକଶିତ ଭାବି ଆଦିବାସୀମାନଙ୍କର ଜୀବନଶୈଳୀକୁ ଅନୁନ୍ନତ କିମ୍ବା ପଛୁଆ ବୋଲି ଧରିନିଏ । ସରକାରୀ ଯୋଜନା ସତ୍ତ୍ୱେ ଜଳ , ଜଙ୍ଗଲ ଓ ଜମିର ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଉଛି । ଶିଳ୍ପାୟନ ନାମରେ ସେମାନଙ୍କୁ ନିଜ ଭିଟାମାଟିରୁ ବିତାଡ଼ିତ ହେବାକୁ ପଡ଼ୁଛି , ଯାହା ସେମାନଙ୍କର ଅସ୍ତିତ୍ୱ ପ୍ରତି ଏକ ବଡ଼ ଆଘାତ । ଏହି ସମସ୍ତ ଅବହେଳା ମଧ୍ୟରେ ବି ଓଡ଼ିଶାର ଜନଜାତି ସଂସ୍କୃତି ସମଗ୍ର ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଓଡ଼ିଶାରେ ୬୨ରୁ ଅଧିକ ଭିନ୍ନ ଭିନ୍ନ ଆଦିବାସୀ ସମ୍ପ୍ରଦାୟ ବାସ କରନ୍ତି , ଯାହା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୨.୮ ପ୍ରତିଶତ । ଏଥିମଧ୍ୟରୁ ୧୩ଟି ଜନଜାତିଙ୍କୁ ‘ବିଶେଷ ଭାବେ ବିପନ୍ନ ଜନଜାତି ସମୂହ’ (PVTGs) ଭାବେ ଚିହ୍ନଟ କରାଯାଇଛି , ଯାହା ସାରା ଦେଶରେ ସର୍ବାଧିକ ।
ଓଡ଼ିଶାର ସବୁଠାରୁ ବଡ଼ ଆଦିବାସୀ ସମ୍ପ୍ରଦାୟ ହେଉଛନ୍ତି କନ୍ଧ , ଯେଉଁମାନେ କନ୍ଧମାଳ , ରାୟଗଡ଼ା , କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ବାସ କରନ୍ତି ଏବଂ ଏମାନଙ୍କ ମଧ୍ୟରେ ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧ ବେଶ୍ ଜଣାଶୁଣା । ସେହିପରି ମୟୂରଭଞ୍ଜ , କେନ୍ଦୁଝର ଏବଂ ସୁନ୍ଦରଗଡ଼ ଭଳି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସାନ୍ତାଳ , କୋଲ୍ହା ଏବଂ ଭୂୟାଁ ଜନଜାତି ବହୁ ସଂଖ୍ୟାରେ ରହୁଥିବା ବେଳେ ମାଲକାନଗିରି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ନିଜର ଆଦିମ ସଂସ୍କୃତି ପାଇଁ ପ୍ରସିଦ୍ଧ ବୋଣ୍ଡା ଏବଂ ଦିଦାୟୀ ଜନଜାତି ବାସ କରନ୍ତି । ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ସୌରା ଜନଜାତିଙ୍କ ମୁଖ୍ୟ ବାସସ୍ଥଳୀ ହୋଇଥିବା ବେଳେ କୋୟା ଜନଜାତି ମାଲକାନଗିରିର ସମତଳ ଅଞ୍ଅଳରେ ଏବଂ ଜୁଆଙ୍ଗ ଜନଜାତି ମୁଖ୍ୟତଃ କେନ୍ଦୁଝର ଓ ଢେଙ୍କାନାଳର ଜଙ୍ଗଲ ଘେରା ଅଞ୍ଚଳରେ ରୁହନ୍ତି ।
ଏହି ସମସ୍ତ ଭିନ୍ନତା ଏବଂ ସାଂସ୍କୃତିକ ଗୌରବ ସତ୍ତ୍ୱେ ଆଜିର ସମୟରେ ଆଦିବାସୀମାନେ ନିଜ ହକ ବା ମୌଳିକ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି । ଏହି ସମାଜ ମଧ୍ୟ ଅନ୍ୟମାନଙ୍କ ଭଳି ସମାନ ଆଦର ଓ ଆତ୍ମସମ୍ମାନର ସହ ବଞ୍ଚିବାକୁ ଚାହେଁ ଏବଂ ସେମାନେ ପ୍ରକୃତରେ ଏହାର ଯୋଗ୍ୟ । ସେମାନଙ୍କର ସରଳତାକୁ ସେମାନଙ୍କର ଦୁର୍ବଳତା ଭାବିବା ଆମର ସବୁଠାରୁ ବଡ଼ ଭୁଲ । ଯଦି ଆମେ ସତରେ ଆଦିବାସୀ ସମାଜକୁ ସମ୍ମାନ ଦେବାକୁ ଚାହୁଁ , ତେବେ କେବଳ ସେମାନଙ୍କ ପ୍ରଡକ୍ଟ୍କୁ ନୁହେଁ , ବରଂ ସେମାନଙ୍କର ପ୍ରାକୃତିକ ଜ୍ଞାନ , ସଂସ୍କୃତି ଏବଂ ଅସ୍ତିତ୍ୱକୁ ସମ୍ମାନ କରିବାକୁ ହେବ । ସେମାନଙ୍କୁ ସହାନୁଭୂତି ନୁହେଁ , ସମାନ ଅଧିକାର ଓ ସମାନ ସାମାଜିକ ସ୍ତର ଦେବା ହିଁ ସେମାନଙ୍କ ପ୍ରତି ପ୍ରକୃତ ଆଦର ହେବ ।






