ଗଜପତି ଜିଲାର କେତେକ ଗ୍ରାମରେ ଜନଗଣନାକୁ ନେଇ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଭିତରେ ବିବାଦ ଉଗ୍ର ରୂପ ନେବାରେ ଲାଗିଛି । କିନ୍ତୁ ସୀମାନ୍ତର କେତେକ ବାସିନ୍ଦା, ଯେଉଁମାନେ ଓଡ଼ିଶା ସହିତ ଆନ୍ଧ୍ରରୁ ମଧ୍ୟ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଉଛନ୍ତି, ସେମାନଙ୍କ ପାଇଁ ବିବାଦ ଅଧିକ ବଢ଼ୁଛି । କାରଣ ସେମାନେ ଓଡ଼ିଶାର ଅଧିକାରୀଙ୍କୁ ଜନଗଣନା ବେଳେ ବିରୋଧ କରୁଛନ୍ତି । ଯୋଜନା ଲୋଭରେ ସୀମାନ୍ତର କେତେକ ବାସିନ୍ଦାଙ୍କ ଓଡ଼ିଶା ବିରୋଧୀ ମାନସିକତା ପାଇଁ ଖୋଦ୍ ଓଡ଼ିଶା ସରକାର ଅଡ଼ୁଅାରେ ପଡ଼ିଛନ୍ତି । କାରଣ ଲୋକଙ୍କ ଘରକାନ୍ଥରେ ଓଡ଼ିଶା ପକ୍ଷରୁ ଲେଖା ଯାଇଥିବା ତଥ୍ୟ ଉପରେ ଆନ୍ଧ୍ରର ସରକାରୀ କର୍ମଚାରୀ ରଙ୍ଗ ବୋଳି ଦେଉଛନ୍ତି । ଏହାକୁ ଓଡ଼ିଶା ସପକ୍ଷରେ ଥିବା ଲୋକମାନେ ବିରୋଧ କରୁଥିବା ବେଳେ ଆନ୍ଧ୍ର ସପକ୍ଷରେ ଥିବା ଲୋକମାନେ ସମର୍ଥନ କରୁଛନ୍ତି । ଗଜପତି ଜିଲାର ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମରେ ଏହା ତୀବ୍ରତର ହେଲାଣି ।
ଗଙ୍ଗାବାଡ଼ରେ ପୂର୍ବରୁ ଉଭୟ ରାଜ୍ୟର ପ୍ରଶାସନ ମୁହାଁମୁହିଁ ହେବା ଏବଂ ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ଆସି ଧମକ ଦେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଗଜପତି ଜିଲା ପ୍ରଶାସନ ପକ୍ଷରୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାପାଳଙ୍କୁ ତିନିଥର ଚିଠି ଲେଖି ସହଯୋଗ ଲୋଡ଼ାଯାଇଥିଲା । କିନ୍ତୁ ଆନ୍ଧ୍ର ପ୍ରଶାସନ କୌଣସି ପଦକ୍ଷେପ ନନେଇ ନୂଆ ବିବାଦ ସୃଷ୍ଟି କରୁଛି । ସଂପ୍ରତି ଗଙ୍ଗାବାଡ଼ ପଞ୍ଚାୟତର ମାଧିଆଖୋଲ, ଗୁଡୁଖୁଡ଼ି ଓ ମାଣିକପାଟଣା ଭଳି ଏକାଧିକ ଗ୍ରାମରେ ଉଭୟ ରାଜ୍ୟର ଯୋଜନା କାର୍ଯ୍ୟକାରୀ ହେଉଛି । ଗ୍ରାମବାସୀ ବି ଉଭୟ ରାଜ୍ୟର ଯୋଜନାରୁ ଲାଭ ପାଉଛନ୍ତି । ମାଣିକପାଟଣା ଗ୍ରାମରେ ସମୁଦାୟ ୮୨ ପରିବାର ବସବାସ କରୁଛନ୍ତି । ଆନ୍ଧ୍ର ଅଧିକାରୀଙ୍କ ଦାବି ଅନୁସାରେ ରାସ୍ତାର ସଂପୂର୍ଣ୍ଣ ଗୋଟିଏ ଭାଗ ଆନ୍ଧ୍ର ସୀମା ମଧ୍ୟରେ ରହିଛି । ଯେଉଁଠି ମୋଟ ୪୭ ପରିବାର ବସବାସ କରୁଛନ୍ତି । ୨୦୧୮ ତିତ୍ଲି ବାତ୍ୟାରେ ୪୭ ପରିବାରର ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ବିଜୁ ପକ୍କାଘର ଯୋଜନାରେ ଆବାସ ନିର୍ମାଣ କରାଯାଇଛି । କିନ୍ତୁ ସେଥିରୁ ୨୨ ପରିବାରକୁ ନିଜ ରାଜ୍ୟର ଦାବି କରି ଆନ୍ଧ୍ର ଅଧିକାରୀମାନେ ଓଡ଼ିଶାର ଜନଗଣନା ତଥ୍ୟକୁ ଲିଭାଇ ଦେଇଥିଲେ । ଆଉ ସେମାନଙ୍କ କାନ୍ଥରେ ରଙ୍ଗ ବୋଳି ଆନ୍ଧ୍ର ନମ୍ବର ଲେଖିଥିଲେ । କାରଣ ଆନ୍ଧ୍ର ସରକାର ବର୍ଷ ବର୍ଷ ଧରି ମାଗଣା ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରଲୋଭିତ କରିଚାଲିଛି । ଭୋଟର ପରିଚୟପତ୍ର, ରାସନ ଓ ଆଧାରକାର୍ଡ ଦେଇଛି । ଏଣୁ ସେମାନେ ଆନ୍ଧ୍ର ଅଧିକାରୀଙ୍କୁ ସମର୍ଥନ କରୁଛନ୍ତି ।
ବିବାଦ କେବଳ ଓଡ଼ିଶା – ଆନ୍ଧ୍ରପ୍ରଦେଶ ମଧ୍ୟରେ ନୁହଁ । ବରଂ ଜିଲା ଜିଲା ଭିତରେ ମଧ୍ୟ ରହିଛି । ସଂପ୍ରତି ଚାଲିଥିବା ଜନଗଣନା କାର୍ଯ୍ୟରୁ ଏହାର ପ୍ରମାଣ ମିଳୁଛି । ଗଜପତି ଓ ଗଞ୍ଜାମ ଜିଲା ମଧ୍ୟରେ ବି ବିବାଦ ରହିଛି । ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ଗୁଡୁଖୁଡୀ ଗ୍ରାମରେ ଜନଗଣନା ସର୍ଭେ କାର୍ଯ୍ୟ ପୂର୍ବରୁ ଗଜପତି ଜିଲା ପ୍ରଶାସନ ପକ୍ଷରୁ ନିୟୋଜିତ ଅଧିକାରୀ କାର୍ଯ୍ୟ ସାରିଦେଇଥିଲେ । ତେବେ ପରବର୍ତ୍ତି ସମୟରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍କର ବୁରାତାଳ ପଞ୍ଚାୟତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିୟୋଜିତ ଅଧିକାରୀ ଜନଗଣନା ପାଇଁ ଆସିଥିଲେ । କିନ୍ତୁ ତା’ପୂର୍ବରୁ ସେହି ଅଞ୍ଚଳରେ ଜନଗଣନାର ସର୍ଭେ କାର୍ଯ୍ୟ ସାରି ଘରକାନ୍ଥରେ ତଥ୍ୟ (ନମ୍ବର ) ସବୁ ଉଲ୍ଲେଖ ଥିବା ଦେଖି ଫେରି ଯାଇଥିଲେ । ତେଣୁ ଏଠୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶାର ଗଜପତି ଓ ଗଞ୍ଜାମ ମଧ୍ୟରେ ମଧ୍ୟ ବିବାଦ ରହିଛି ।
ନିଜ ନିଜ ଜିଲାର ସୀମାକୁ ନେଇ ମଧ୍ୟ ପ୍ରଶାସନ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ସ୍ପଷ୍ଟ ନାହାନ୍ତି । ଗୋଟିଏ ଗ୍ରାମ ଯାହା ଓଡିଶା ଗଜପତି ଜିଲାର ଗୁଡିଖୁଡୀ ଦର୍ଶା ଯାଉଥିବା ବେଳେ ସେହି ଗ୍ରାମକୁ ଗଞ୍ଜାମ ଜିଲାର ଗୁଡିଖଳା ଓ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲାର ଗୁଡିପଦର ବୋଲି କୁହାଯାଉଛି । ଏହା ସୀମାନ୍ତରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହି ଗୋଟିଏ ଗ୍ରାମରେ ଗଜପତି ଜିଲା ପ୍ରଶାସନିକ ଅଧିକାରୀମାନେ ଜନଗଣନା କରିଛନ୍ତି । ପୁଣି ଗଞ୍ଜାମର ଅଧିକାରୀମାନେ ଯାଇ ଫେରି ଆସିଥିଲେ । ଆଗକୁ ସେହି ଗ୍ରାମକୁ ଆନ୍ଧ୍ର ଅଧିକାରୀ ମଧ୍ୟ ଜନଗଣନା ପାଇଁ ମଧ୍ୟ ଆସିବେ । କାରଣ ଗୋଟିଏ ଗ୍ରାମ ଯାହା ତିନୋଟି ଜିଲାର ସୀମା ଭିତରେ ରହିଥିବା କୁହାଯାଉଛି । ଏଵଂ ସେଠି ତିନୋଟି ଜିଲାର ଯୋଜନା କାର୍ଯ୍ୟକାରୀ ହେଉଛି । ଏଭଳି ଭାବେ ବିଭିନ୍ନ ସରକାର ଏବଂ ଭିନ୍ନ ଭିନ୍ନ ଜିଲାରୁ ସରକାରୀ ଯୋଜନାର ଲାଭ ପାଉଥିବା ଗ୍ରାମଗୁଡ଼ିକରେ ଜନଗଣନା କାର୍ଯ୍ୟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି ।






