“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ପିନ୍ ବାର୍ତ୍ତା: ଓଡ଼ିଶାବାସୀ ବଦଳ ଚାହୁଁଥିଲେ, ଆଉ ଶାସକ ଦଳ ମଧ୍ୟ ବଦଳିଲା । ସରକାର ପରିବର୍ତ୍ତନ ସହ ବିକାଶର ନୂଆ ନାରା ଶୁଣିବାକୁ ମିଳିଲା ଏବଂ ଅନେକ ନୂତନ ପ୍ରକଳ୍ପର ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ମାତ୍ର ବାସ୍ତବତା କିନ୍ତୁ ଭିନ୍ନ । ପୂର୍ବ ସରକାର ଅମଳରୁ ଅଧାପନ୍ତରିଆ ହୋଇ ପଡ଼ିରହିଥିବା କୋଟି କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକ ଆଜି ବି ସେହିପରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଖତଖାଉଛି । ଦୁଇ ବର୍ଷର ଶାସନ କାଳ ମଧ୍ୟରେ ଅନେକ ନୂଆ ଯୋଜନାର ଶିଳାନ୍ୟାସ ହୋଇଥିଲେ ସୁଦ୍ଧା, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ କାର୍ଯ୍ୟ ସୀମାହୀନ ବିଳମ୍ବ ଓ ନିମ୍ନମାନର ନିର୍ମାଣ ଯୋଗୁଁ ଅଧାରେ ଅଟକି ରହିଛି । ଅର୍ଥର କୌଣସି ଅଭାବ ନଥାଇ ମଧ୍ୟ ନିର୍ମାଣ କାର୍ଯ୍ୟ ଆଗେଇ ନପାରିବା ପଛରେ ପ୍ରଶାସନିକ ଉଦାସୀନତା, ଠିକାଦାରଙ୍କ ସହ ସାଲିସ୍ ଓ କାମର ନିୟମିତ ତଦାରଖ ନହେବା ମୂଳ କାରଣ ଭାବେ ସାମ୍ନାକୁ ଆସିଛି ।

ତେବେ ଏହି ସମସ୍ତ ବିବାଦୀୟ ଓ ଅଧାପନ୍ତରିଆ ନିର୍ମାଣ ପଛରେ ‘ଆରକେଡି’ (RKD) ନାମକ ଠିକା ସଂସ୍ଥାର ନାମ ବାରମ୍ବାର ଚର୍ଚ୍ଚାକୁ ଆସୁଛି । ପୂର୍ବରୁ କଟକ ଖାନନଗର ସ୍ଥିତ ରିଂ ରୋଡ୍ ବ୍ରିଜ ନିର୍ମାଣ ବେଳେ ଗିର୍ଡର ଭୁଶୁଡ଼ି ୩ ଜଣ ଶ୍ରମିକଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସରକାରୀ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ବି ଉଚ୍ଚପଦସ୍ଥ ଅଧିକାରୀ, ମନ୍ତ୍ରୀ ଓ ସଚିବଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମୂଳ ଦୋଷୀଙ୍କୁ ଆଡ଼େଇ ଦିଆଯାଇ ଜଣେ ନିମ୍ନସ୍ତରର କର୍ମଚାରୀଙ୍କୁ ବଳି ପକାଯାଇଥିବା ଅଭିଯୋଗ ହୋଇଛି । ଦୋଷୀ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ତାକୁ ବାଃ ବାଃ ଦିଆଯିବା ସହ ନୂଆ କାମର ପୁରସ୍କାର ମିଳିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।

ସେହିପରି ବିଜୁ ଏକ୍ସପ୍ରେସୱେ ଅନ୍ତର୍ଗତ ସିନାପାଲି ଛକ ନିକଟସ୍ଥ ଉଦନ୍ତି ନଦୀ ପୋଲ ନିର୍ମାଣରେ ମଧ୍ୟ ଏହି ସଂସ୍ଥାର ଚରମ ଅବହେଳା ପଦାରେ ପଡ଼ିଥିଲା । ନିମ୍ନମାନର କାର୍ଯ୍ୟ ଯୋଗୁଁ ନବନିର୍ମିତ ବ୍ରିଜଟି ଦବିଯାଇ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ହୋଇପଡ଼ିଥିଲା । ଶେଷରେ ସାଧାରଣ ନାଗରିକଙ୍କ ଆକ୍ରୋଶ ପରେ ସମ୍ପୂର୍ଣ୍ଣ ବ୍ରିଜକୁ ଭାଙ୍ଗି ପୁନଃନିର୍ମାଣ କରିବାକୁ ପଡ଼ିଲା । ଲୋକଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ପାଣିରେ ପଡ଼ିବା ସତ୍ତ୍ୱେ ଏହି ବିବାଦୀୟ କମ୍ପାନୀକୁ ବ୍ଲାକଲିଷ୍ଟ ନକରି ନିୟମକୁ ଜଳାଞ୍ଜଳି ଦେଇ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ପ୍ରଦାନ କରାଯାଉଛି । ଯାହା କି ସଧାରଣ ଜନତା ଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ସୃଷ୍ଟି କରିଛି ।

ବର୍ତ୍ତମାନ ସୁଦ୍ଧା ଏହି ସଂସ୍ଥା ହାତରେ ବାଲେଶ୍ୱର ଜିଲ୍ଲାର ଝାରପୋଖରିଆ-ମାରକୋଣା (ଅଦା ରୋଡ୍), ବାଲେଶ୍ୱର-ଗୁଡ୍ ରୋଡ୍, ଏବଂ ମନକୁଣ୍ଡ-ଭୁଷଣ୍ଡେଶ୍ୱର ଭାୟା ଭୋଗରାଇ ରୋଡର କିଲୋମିଟର ବ୍ୟାପୀ ସଂପ୍ରସାରଣ କାମ ରହିଛି । ମୟୂରଭଞ୍ଜ ଜିଲ୍ଲାର ଟାଙ୍ଗାବିଲ୍ଲା-ସୁକୃଲି ରାସ୍ତା ସହ କନ୍ଧମାଳ ଜିଲ୍ଲାର ଦାରିଂବାଡି-ପାର୍ତ୍ତମହା, ବାଲିଗୁଡା-ବୁଡାଗୁଡା ଏବଂ ମୁସେଲିପଙ୍ଗା-ସିଡିଙ୍ଗିଆ ଭଳି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ ମଧ୍ୟ ଏହି ଏଜେନ୍ସିକୁ ଦିଆଯାଇଛି । ଏହାବ୍ୟତୀତ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା-ଗେରେଡା-ଲମ୍ଭେଇ ଓ ଭଞ୍ଜନଗର-ତାରାସିଙ୍ଗି ରାସ୍ତା ଏବଂ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଛକ ସଂଯୋଗୀକରଣ ଭଳି ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟ ଏହି ସଂସ୍ଥା ନିଜ ନିୟନ୍ତ୍ରଣରେ ରଖିଛି ।

ତଥ୍ୟ ଅନୁସାରେ, ଓଡ଼ିଶାରେ କେବଳ ରାସ୍ତା ଓ ପୋଲ ନୁହେଁ, ବରଂ ଜଳସେଚନ କେନାଲ, ରେଳବାଇ ଓଭରବ୍ରିଜ (ROB) ଏବଂ ସ୍ମାର୍ଟ ସିଟିର ଅନେକ ବଡ଼ ବଡ଼ ସର୍ବସାଧାରଣ ଭିତ୍ତିଭୂମି ପ୍ରକଳ୍ପରେ ମଧ୍ୟ କାମ ନିର୍ଦ୍ଧାରିତ ସମୟସୀମାଠାରୁ ବହୁତ ପଛରେ ଚାଲିଛି । ଅନେକ ସମୟରେ ଠିକାସଂସ୍ଥାଗୁଡ଼ିକ କାମ ହାତେଇବା ପରେ ଅନ୍ୟ ପେଟି-କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ନିଜେ ଖସିଯାଉଛନ୍ତି, ଯାହାଫଳରେ ନିର୍ମାଣର ମାନ ଅତ୍ୟନ୍ତ ନିମ୍ନସ୍ତରର ହେଉଛି । ଜନସାଧାରଣଙ୍କ ସୁରକ୍ଷାକୁ ବାଜି ଲଗାଇ ଏବଂ ସରକାରୀ କୋଷାଗାରରୁ କୋଟି କୋଟି ଟଙ୍କା ହରିଲୁଟ୍ କରି ବିବାଦୀୟ ଠିକା ସଂସ୍ଥାକୁ କାହିଁକି ବାରମ୍ବାର ଅନୁକମ୍ପା ଦେଖାଯାଉଛି, ତାହାର ସ୍ପଷ୍ଟ ଜବାବ ଦେବାକୁ ଦାବି ହେଉଛି ।

କେବଳ ଭିତ୍ତିଭୂମି ନୁହେଁ, ବରଂ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ମଧ୍ୟ ସରକାରଙ୍କ ବଡ଼ ବଡ଼ ଦାବି ଓ ବାସ୍ତବତା ମଧ୍ୟରେ ଆକାଶ ପାତାଳ ଫରକ ଦେଖିବାକୁ ମିଳୁଛି । ରାଜ୍ୟର ଅନେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡାକ୍ତର ଓ ଆବଶ୍ୟକୀୟ ମେଡିକାଲ ଉପକରଣର ଘୋର ଅଭାବ ରହିଥିବା ବେଳେ, ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ କେବଳ ପ୍ରତିଶ୍ରୁତି ଓ କାଗଜପତ୍ର ମଧ୍ୟରେ ସୀମିତ ହୋଇରହିଛି । ସେହିପରି ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ଆରମ୍ଭ ହୋଇଥିବା ମେଗା ପାଇପ୍ ୱାଟର ପ୍ରକଳ୍ପଗୁଡ଼ିକ ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବାରୁ ଗ୍ରାମବାସୀ ଆଜି ବି ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି । ସରକାର ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଛନ୍ତି ସତ, ମାତ୍ର ସାଧାରଣ ଲୋକଙ୍କ ନିକଟରେ ସେବାର ସୁଫଳ ପହଞ୍ଚିବାରେ ନିଷ୍କ୍ରିୟତା ସ୍ପଷ୍ଟ ବାରି ହୋଇପଡ଼ୁଛି ।

ଅପରପକ୍ଷରେ, କୃଷି, ରୋଜଗାର ଓ ଗ୍ରାମୀଣ ଭିତ୍ତିଭୂମି ବିକାଶ ଯୋଜନାଗୁଡ଼ିକ ମଧ୍ୟ ଧୀମା କାର୍ଯ୍ୟଶୈଳୀ ଯୋଗୁଁ ବାଟବଣା ହେବାରେ ଲାଗିଛି । ସରକାର ପ୍ରତିଶ୍ରୁତି ଦେଇଥିବା ନୂଆ ଶୀତଳ ଭଣ୍ଡାର ନିର୍ମାଣ, କୃଷି ସୁବିଧା ସମ୍ପ୍ରସାରଣ ଏବଂ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରକ୍ରିୟା ଶାସନତନ୍ତ୍ରର ଲାଲଫିତା ତଳେ ଚାପି ହୋଇରହିଛି । ବଜେଟରେ ଅର୍ଥ ବରାଦ ହେଉଥିଲେ ବି କାର୍ଯ୍ୟକାରିତା ସ୍ତରରେ ସରକାରୀ ବାବୁ ଓ ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଶୂନ । ଏହିସବୁ ବିଳମ୍ବ ଓ ପ୍ରଶାସନିକ ବିଫଳତା ପ୍ରମାଣିତ କରୁଛି ଯେ, ବର୍ତ୍ତମାନର ସରକାର କେବଳ ଭାଷଣ ଓ ନାରାବାଜିରେ ଆଗରେ ରହିଥିବା ବେଳେ ବାସ୍ତବ କ୍ଷେତ୍ରରେ କାମ କରିବାରେ ସମ୍ପୂର୍ଣ୍ଣ ପଛରେ ପଡ଼ିଯାଇଛନ୍ତି ।

Related Posts

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ପିନ୍ ବାର୍ତ୍ତା: ମାଲକାନଗିରି ଜିଲ୍ଲାରେ ବିକାଶ ଏବଂ ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଅନ୍ୟତମ ଆଦିମ ଜନଜାତି (PVTG) ଭାବେ ପରିଚିତ ବଣ୍ଡା ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ପାଇଁ ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା…

ଲୋକଙ୍କୁ ନିଜର କରି ପାରିଲେନି 

ପିନ୍ ବାର୍ତ୍ତା: ଭୁବନେଶ୍ୱରରେ ଓଲା, ଉବର ଏବଂ ରାପିଡ଼ୋ ଡ୍ରାଇଭରମାନଙ୍କ ଚାଲିଥିବା ଆନ୍ଦୋଳନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । କିନ୍ତୁ ଏହି ଆନ୍ଦୋଳନ ପ୍ରତି ସାଧାରଣ ଲୋକଙ୍କର ସମର୍ଥନ ନାହିଁ କହିଲେ ଚଳେ । ଏହାର ପ୍ରମୁଖ କାରଣ ହେଲା…

Leave a Reply

Your email address will not be published. Required fields are marked *

You Missed

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ଲୋକଙ୍କୁ ନିଜର କରି ପାରିଲେନି 

ଲୋକଙ୍କୁ ନିଜର କରି ପାରିଲେନି 

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଜଟିଳ ହେଉଛି ବନ୍ୟା ସମସ୍ୟା

ଜଟିଳ ହେଉଛି ବନ୍ୟା ସମସ୍ୟା