ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସୋମବାର ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିବା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ସଂକ୍ଷିପ୍ତ କିନ୍ତୁ ତୀକ୍ଷ୍ଣ ପ୍ରତିକ୍ରିୟା ଦେଇ ରାଜନୈତିକ ମହଳରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶଙ୍କ ସହ ସଂସଦ ପରିସରରେ ହୋଇଥିବା ସଂକ୍ଷିପ୍ତ ବାର୍ତ୍ତାଳାପ ବେଳେ ଧର୍ମେନ୍ଦ୍ର କହିଥିଲେ, “ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ।”
ନିଟ୍ ପ୍ରଶ୍ନପତ୍ର ଲିକ୍କୁ କେନ୍ଦ୍ର କରି ଦେଶବ୍ୟାପୀ ଆନ୍ଦୋଳନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସଦର ମକର ଦ୍ୱାରରେ ଏନ୍ଡିଏ ସାଂସଦମାନେ ଉଷ୍ମ ସ୍ୱାଗତ ଜଣାଇଥିଲେ। ତାଙ୍କୁ ଫୁଲମାଳ ପିନ୍ଧାଇବା ସହ ପାରମ୍ପରିକ ପାଗ ପରିଧାନ କରାଇ ଏକତାର ବାର୍ତ୍ତା ଦେଇଥିଲେ।
ଏହି ସମୟରେ କଂଗ୍ରେସ ସାଂସଦ ଜୟରାମ ରମେଶ ଧର୍ମେନ୍ଦ୍ରଙ୍କ ନିକଟକୁ ଯାଇ ତାଙ୍କ ଇସ୍ତଫା ପ୍ରସଙ୍ଗରେ ସହାନୁଭୂତି ଜଣାଇ “ଇଟ୍ ହାପେନ୍ସ” ବୋଲି କହିଥିଲେ। ଏହାର ତୁରନ୍ତ ଜବାବରେ ଧର୍ମେନ୍ଦ୍ର କହିଥିଲେ, “କିଛି ହୋଇନାହିଁ। ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ।”
ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟକୁ ବିଜେପି ନେତୃତ୍ୱ ତାଙ୍କ ରାଜନୈତିକ ଆତ୍ମବିଶ୍ୱାସର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛି। ଦଳର ମତରେ, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବିଦାୟ ନେବା ସତ୍ତ୍ୱେ ତାଙ୍କର ରାଜନୈତିକ ଗୁରୁତ୍ୱ କମିନାହିଁ ଏବଂ ଆଗାମୀ ଦିନରେ ତାଙ୍କୁ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
ଅନ୍ୟପକ୍ଷରେ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏନ୍ଡିଏ ସାଂସଦମାନଙ୍କ ଏହି ସ୍ୱାଗତକୁ ବିରୋଧୀ ଦଳ କଡ଼ା ସମାଲୋଚନା କରିଥିଲା। ସଂସଦ ପରିସରରେ ବିରୋଧୀ ସାଂସଦମାନେ ଛାତ୍ର ଆନ୍ଦୋଳନ ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ।







