ପିନ୍ ବାର୍ତ୍ତା: ଓଡ଼ିଶା ସମେତ ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ World Tribal Day ଅବା ବିଶ୍ୱ ଆଦିବାସୀ ଦିବସ ଭାବେ ବଡ଼ ଧୂମଧାମରେ ପାଳନ କରାଯାଇଛି । କିନ୍ତୁ ଏହି ଉତ୍ସବର ଚାକଚକ୍ୟ ଭିତରେ ଓଡ଼ିଶାର ଆଦିବାସୀ ଙ୍କୁ ଦିଆ ଯାଉଥିବା ପ୍ରାଥମିକତା ଓ ସେମାନଙ୍କର ଅଧିକାରକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ବର୍ଷକୁ ଗୋଟିଏ ଦିନ ମଞ୍ଚ ଉପରେ ପାରମ୍ପରିକ ନୃତ୍ୟ ଏବଂ ଭାଷଣବାଜି କରିବା ଦ୍ୱାରା ଆଦିବାସୀଙ୍କ ପ୍ରକୃତ ବିକାଶ ସମ୍ଭବ କି ବୋଲି ବୁଦ୍ଧିଜୀବୀ ଓ ଆଦିବାସୀ ସଂଗଠନଗୁଡ଼ିକ ପ୍ରଶ୍ନ କରିଛନ୍ତି । କଣ ସତରେ କେବଳ ଆଦିବାସୀ ଦିବସ ପାଳନରେ ବିକାଶ ସମ୍ଭବ ?
ବିକାଶ ନାଁରେ ଚାଲିଥିବା କର୍ପୋରେଟ୍ ଶିଳ୍ପାୟନ ଏବଂ ଭିଟାମାଟିରୁ ବିସ୍ଥାପନର ଭୟ ଆଜି ମଧ୍ୟ ଆଦିବାସି ଜନଜାତି ଙ୍କୁ ଘାରି ରହିଛି । ସିଜିମାଳି ଓ ତାଳମାଳି ଅଞ୍ଚଳ ରେ କାହିଁ କେତେ ଦିନ ରୁ ଜଳ, ଜଙ୍ଗଲ ଓ ଜମି ପାଇଁ ଚାଲିଛି ମହା ସଂଘର୍ଷ । ଡଙ୍ଗରିଆ କନ୍ଧଙ୍କ ପାଇଁ ଆଜି ବି ଜୀବନର ମୌଳିକ ଆବଶ୍ୟକତା ହିଁ ବଡ଼ ପ୍ରଶ୍ନ।ରାଜ୍ୟରେ ଯେତେବେଳେ ଆଦିବାସୀ ଗୌରବର ନାରା ଦିଆଯାଉଛି, ସେତେବେଳେ ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ସିଜିମାଳି ଏବଂ ତାଳମାଳି ପାହାଡ଼ ଅଞ୍ଚଳରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି । ଏହି ବକ୍ସାଇଟ୍ ସମୃଦ୍ଧ ଅଞ୍ଚଳରେ ଖଣି ଖନନ ପାଇଁ ବେଦାନ୍ତ ଲିମିଟେଡ୍କୁ ଲିଜ୍ ଦିଆଯିବା ପରେ ସ୍ଥାନୀୟ କନ୍ଧ ଆଦିବାସୀମାନେ ନିଜର ଜୀବିକା ଓ ସଂସ୍କୃତି ବଞ୍ଚାଇବାକୁ ଆନ୍ଦୋଳନ କରୁଛନ୍ତି ।‘ମା ମାଟି ମାଲି ସୁରକ୍ଷା ମଞ୍ଚ’ ନେତୃତ୍ୱରେ ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ପାରମ୍ପରିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି ।
ସାମ୍ବିଧାନିକ ପଞ୍ଚମ ଅନୁସୂଚୀ ଏବଂ ପେସା (PESA) ଆଇନ ଅନୁଯାୟୀ କୌଣସି ପ୍ରକଳ୍ପ ପୂର୍ବରୁ ଗ୍ରାମସଭାର ସମ୍ମତି ବାଧ୍ୟତାମୂଳକ ହୋଇଥିବା ବେଳେ ପ୍ରଶାସନ ଜାଲ୍ ଗ୍ରାମସଭା ଜରିଆରେ କାର୍ଯ୍ୟ କରୁଥିବା ନେଇ ଗୁରୁତର ଆରୋପ ଆଣିଛନ୍ତି । ଗତ ସମୟରେ ଏହି ଅଞ୍ଚଳରେ ପୋଲିସ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିସାରିଛି । ଆଦିବାସୀମାନଙ୍କ କହିବା କଥା, ଯଦି ସେମାନଙ୍କର ପବିତ୍ର ପାହାଡ଼, ପ୍ରାକୃତିକ ଝରଣା ଏବଂ ଜଙ୍ଗଲ ଉଜୁଡ଼ିଯିବ, ତେବେ କେବଳ ଦିବସ ପାଳନ ସେମାନଙ୍କ ପେଟକୁ ଦାନା ଦେଇପାରିବ ନାହିଁ ।
ଗତକାଲି (ଅଗଷ୍ଟ ୯) ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆଦିବାସୀ ଦିବସ ଅବସରରେ ଦ୍ୱିମୁଖୀ ଚିତ୍ର ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସ୍ତରରେ ଆଦିବାସୀ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସରକାରଙ୍କ ପକ୍ଷରୁ ଆଦିବାସୀଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା, ସ୍ୱତନ୍ତ୍ର ପଦକ୍ଷେପ ଏବଂ ସେମାନଙ୍କ ସାଂସ୍କୃତିକ ବିକାଶର ଦାୟିତ୍ୱ ଉପରେ ଆଲୋକପାତ କରାଯାଇଥିଲା । ଅନ୍ୟପଟେ, ରାୟଗଡ଼ାର ଜିସିଡି (GCD) ପଡ଼ିଆରେ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ସାଂସ୍କୃତିକ ଶୋଭାଯାତ୍ରା କରିଥିଲେ ମଧ୍ୟ ସେମାନଙ୍କ ସ୍ୱରରେ ଅସନ୍ତୋଷ ବାରି ହୋଇପଡ଼ୁଥିଲା । ପେସା Actର କାର୍ଯ୍ୟକାରିତା ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଅନିୟମ ୧୯୯୬ ଉକ୍ତ Actକୁ ଅନୁସୂଚିତ ଅଞ୍ଚଳରେ ଏହାର ମୂଳ ଆତ୍ମା ଓ ବ୍ୟବସ୍ଥା ଅନୁଯାୟୀ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉ ଏବଂ ଗ୍ରାମସଭାର ସାମ୍ବିଧାନିକ ଭୂମିକା ଓ ଅଧିକାର ସୁନିଶ୍ଚିତ କରାଯିବା ପରି ପ୍ରମୁଖ ଦାବିଗୁଡ଼ିକୁ ସରକାର ଗୁରୁତର ସହ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି ଉପସ୍ଥିତ ଆଦିବାସୀ ନେତା ଏବଂ ସଙ୍ଗଠକମାନେ ନିଜ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ।
ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରର ବିଭିନ୍ନ ବ୍ଲକରେ ଆଦିବାସୀ ସଂଗଠନ ପକ୍ଷରୁ ପେସା (PESA) ଆଇନକୁ କଡ଼ାକଡ଼ି ଲାଗୁ କରିବା ଏବଂ ଜଙ୍ଗଲ ଜମି ପଟ୍ଟା ସମ୍ପୂର୍ଣ୍ଣ ପ୍ରଦାନ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସିଜିମାଳି ଓ ତାଳମାଳିର ସାମ୍ପ୍ରତିକ ଆନ୍ଦୋଳନ ସ୍ପଷ୍ଟ କରୁଛି ଯେ, ଆଦିବାସୀ ବିକାଶର ପରିଭାଷାକୁ ବଦଳାଇବାକୁ ହେବ । କର୍ପୋରେଟ୍ ମାନଙ୍କ ଲାଭ ପାଇଁ ମୂଳନିବାସୀଙ୍କୁ ବିସ୍ଥାପିତ କରି ସେମାନଙ୍କୁ ଭିକାରୀ ବନାଇବା ବିକାଶ ନୁହେଁ । ଯେପର୍ଯ୍ୟନ୍ତ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଦିଆଯାଇନାହିଁ, ସେପର୍ଯ୍ୟନ୍ତ ଏଭଳି ‘ଦିବସ ପାଳନ’ କେବଳ ଏକ ଉତ୍ସବରେ ସୀମିତ ରହିବ, ବାସ୍ତବ ବିକାଶରେ ନୁହେଁ ।








