ଏବର୍ଷର ପବିତ୍ର ରଥ ଯାତ୍ରା ଆରମ୍ଭ ହୋଇ ସାରିଛି। ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ସମେତ ସାରା ଦେଶରେ ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରବଳ ଜନ ସମାଗମ ବି ହୋଇଛି। ଯେହେତୁ ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ, ଢେର ସମୟ ପୂର୍ବରୁ ସରକାର ଦୃଢ଼ ପ୍ରସ୍ତୁତି ବି କରିଛନ୍ତି। ପ୍ରଶାସନ , ସୁରକ୍ଷା ସତ୍ତ୍ୱେ ବିଶୃଙ୍ଖଳା ଦେଖିବାକୁ ମିଳିଛି। ସେବାୟତ ସେବା ତତ୍ସମ। ଆମେ ମହାପ୍ରଭୁ ଜଗନ୍ନାଥଙ୍କୁ ଯେଉଁଭଳି ଭକ୍ତି କରୁଛୁ, ସେଇ ଅନୁପାତରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଓ ଯାତ୍ରାରେ ବ୍ୟବସ୍ଥିତ ବ୍ୟବସ୍ଥା କରିବା ପାଇଁ ଆଉ କେତେ ବର୍ଷ ଲାଗିଯିବ , ତାହା ସଠିକ କହିପାରିବା ନାହିଁ। ହଜାର ହଜାର ସ୍ବେଚ୍ଛାସେବୀ ବି ସେବାରେ ନିୟୋଜିତ ଅଛନ୍ତି। ସରକାରୀ କଟକଣା ସତ୍ତ୍ୱେ ସେବାୟତ ମାନେ ଅନେକ ଭୁଲ କରୁଥିବା ନଜିର ଅଛି। ଏ ବର୍ଷର ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ବିନା ଟାହିୟାରେ ପହଣ୍ଡି ବିଜେ ଦେଖିବାକୁ ମିଳିଲା। ଅନେକ ଅନେକ କଥା କହିଲେ। ଅନେକ କହିଲେ , ସବୁ ତାଙ୍କରି ଲୀଳା, ତାଙ୍କରି ଇଚ୍ଛା। ଇଏ ତ ଭାବ ଓ ଭକ୍ତିର ପରିପ୍ରକାଶ। କର୍ତ୍ତବ୍ୟ ବୋଧ ନୁହେଁ। ଆମେ ଆମ ସନିଷ୍ଠ କର୍ତ୍ତବ୍ୟ କରି ପରେ ମହାପ୍ରଭୁଙ୍କୁ କହିବା ଠିକ ହେବ। ଆଷାଢ଼ରେ ପୁରୀରେ ବର୍ଷା। ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ସର୍ବୋତ୍ତମ କି ? ଲକ୍ଷ ଲକ୍ଷ ଲୋକଙ୍କ ସମାଗମରେ ପାଣି ଜମି ରହେ ତ ରୋଗ ସଂକ୍ରମଣ ଆଶଙ୍କା ବି ରହିଛି। ଲୋକେ ନେତାଙ୍କ ଫୋଟ ଦେଖି ଆଶ୍ବସ୍ତ ନୁହଁନ୍ତି, ସୁରୁଖୁରୁରେ ଦର୍ଶନ ସାରି ନିଜ ଘରକୁ ଫେରିବା ଆମ ପାଇଁ ଆଶ୍ବସ୍ତ ହେବ। ହଜାର ହଜାର ସୁରକ୍ଷା କର୍ମୀ ରହି ବି ଭକ୍ତଙ୍କ ମୃତ୍ୟୁ ବଡ଼ ଯନ୍ତ୍ରଣାଦାୟକ। ପରିମଳ ବ୍ୟବସ୍ଥା ଯାହା ହୋଇଛି ତାହା ପର୍ଯ୍ୟାପ୍ତ ନୁହେଁ। ବର୍ଷକୁ ବର୍ଷ ଭକ୍ତଙ୍କ ସମାଗମ ବୃଦ୍ଧି ପାଉଛି, ସେ ଅନୁପାତରେ ସୁଦୁରପ୍ରସାରି ମାଷ୍ଟର ପ୍ଲାନ କାହିଁ ? ଆମେ ସବୁ ମହାପ୍ରଭୁଙ୍କ ଉପରେ ଛାଡ଼ି ଖସିଯିବା କି ? ଜୟ ଜଗନ୍ନାଥ






