ପିନ୍ ବାର୍ତ୍ତା: ରାଜ୍ୟର ଅର୍ଥନୀତିକୁ ଆହୁରି ମଜବୁତ୍ କରିବା, ଶିଳ୍ପାୟନକୁ ସୁଗମ କରିବା ଏବଂ ଖଣିଜ ସମ୍ପଦର ଉତ୍ତୋଳନ ପରେ ତାହାର ନିର୍ବିଘ୍ନ ନିର୍ଗମନ ଓ ପରିବହନକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ସଡ଼କ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛନ୍ତି । ରାୟଗଡ଼ା, କେନ୍ଦୁଝର, ବଡ଼ବିଲ, ସୁକିନ୍ଦା, କଳାହାଣ୍ଡି ଏବଂ ତାଳଚେର, ଏହି ୬ଟି ପ୍ରମୁଖ ଅଞ୍ଚଳକୁ ଗୁରୁତ୍ୱପୂର୍ଣ୍ଣ ଖଣି ଅଞ୍ଚଳ ଭାବେ ଚିହ୍ନଟ କରାଯାଇ ସେଠାରେ ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତିକରଣକୁ ପ୍ରାଥମିକତା ଦେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ଚାଲିଥିବା ବିଭିନ୍ନ ଯୋଜନାର ବ୍ୟୟ ସ୍ଥିତି ସମୀକ୍ଷା ନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି ।
ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଖଣିଜ ବୋଝେଇ ଯାନବାହନର ନିରବଚ୍ଛିନ୍ନ ଚଳାଚଳ ପାଇଁ ଚିହ୍ନଟ କରିଡରଗୁଡ଼ିକରେ ରାସ୍ତାର କ୍ଷମତା ବଢ଼ାଇବାକୁ ପଡ଼ିବ, ଯାହା ଦ୍ୱାରା ଖଣିଜ ନିର୍ଗମନରେ ଦକ୍ଷତା ବଢ଼ିବ ଏବଂ ଖଣି କାର୍ଯ୍ୟକଳାପକୁ ସହାୟତା ମିଳିବ । ଇସ୍ପାତ ଓ ଖଣି ବିଭାଗର ରଣନୈତିକ ଯୋଜନା ଅନୁଯାୟୀ କେନ୍ଦୁଝର–ବଡ଼ବିଲ ଅଞ୍ଚଳର ଚାପକୁ ଦୃଷ୍ଟିରେ ରଖି ବଡ଼ବିଲରେ ୧୮.୩୨୬ କିଲୋମିଟର ଦୀର୍ଘ ଚାରିଲେନ୍ ବାଇପାସ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପର ଶିଳାନ୍ୟାସ ହୋଇସାରିଛି । ₹୧,୫୮୧.୨୧ କୋଟି ବ୍ୟୟର ଏହି ପ୍ରକଳ୍ପରେ ୯ଟି ବ୍ରିଜ୍ ସହ ଅନ୍ୟାନ୍ୟ ସୁବିଧା ରହିବ ଏବଂ ବଡ଼ବିଲ ସହରର ଯାତାୟାତ ଚାପ କମାଇବା ଏହାର ଅନ୍ୟତମ ଉଦ୍ଦେଶ୍ୟ । ସେହିପରି ଟୋମକା–ମଙ୍ଗଳପୁର ରାସ୍ତାକୁ ସୁକିନ୍ଦାର ପ୍ରମୁଖ ଖଣିଜ ପରିବହନ ପଥ ଭାବେ ଦର୍ଶାଯାଇଥିବା ବେଳେ, ତାଳଚେର କ୍ଷେତ୍ରରେ କୋଇଲା ନିର୍ଗମନ ପାଇଁ ରେଳ ଓ ସଡ଼କ ଭିତ୍ତିଭୂମିର ଆବଶ୍ୟକତା ଉପରେ ଜୋର ଦିଆଯାଇଛି । ରାୟଗଡ଼ା ଓ କଳାହାଣ୍ଡି ଭଳି ଅଞ୍ଚଳରେ ମଧ୍ୟ ଖଣିଜ ଉତ୍ତୋଳନ ବୃଦ୍ଧି ପାଉଥିବାରୁ ନୂଆ ପରିବହନ ଭିତ୍ତିଭୂମିର ଆବଶ୍ୟକତା ବଢ଼ୁଛି ଏବଂ ଏନେଇ ପ୍ରଥମ ପର୍ଯ୍ୟାୟରେ ଇଞ୍ଜିନିୟରିଂ ଅଧିକାରୀମାନଙ୍କଠାରୁ ବିସ୍ତୃତ ଆକ୍ସନ୍ ଟେକେନ୍ ରିପୋର୍ଟ ମଗାଯାଇଛି ।
ଏହି ୬ଟି ଅଞ୍ଚଳରେ ସଡ଼କ ଭିତ୍ତିଭୂମି ସୁଦୃଢ଼ ହେବା ଦ୍ୱାରା ଖଣିଜ ପରିବହନ ବାଧାମୁକ୍ତ ହୋଇପାରିବ ବୋଲି ଆଶା କରାଯାଉଛି । କେବଳ ଖଣିଜ ପଦାର୍ଥ ବୋହିନେବା ନୁହେଁ, ବରଂ ସ୍ଥାନୀୟ ଅଞ୍ଚଳର ଯାତାୟାତ ସମସ୍ୟା ଦୂର କରିବା ଏବଂ ଶିଳ୍ପାୟନକୁ ସହଜ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଇଞ୍ଜିନିୟରିଂ ଅଧିକାରୀମାନଙ୍କ ପକ୍ଷରୁ ପ୍ରସ୍ତୁତ ହୋଇ ଆସିବାକୁ ଥିବା ଆକ୍ସନ୍ ଟେକେନ୍ ରିପୋର୍ଟ ହାତକୁ ଆସିବା ପରେ ସରକାରଙ୍କ ଏହି ଯୋଜନାର ପ୍ରକୃତ କାର୍ଯ୍ୟାନ୍ୱୟନ ଏବଂ ରୂପରେଖ ସ୍ପଷ୍ଟ ହେବ ।
ତେବେ ଏହି ବିକାଶର ଏକ ଅନ୍ଧାରୁଆ ଦିଗ ମଧ୍ୟ ରହିଛି, ଯାହାକୁ ଏଡ଼ାଇହେବ ନାହିଁ । ରାଜ୍ୟର ଅର୍ଥନୀତି ଓ କର୍ପୋରେଟ୍ ରାଜସ୍ୱ ବୃଦ୍ଧିର ଏହି ଦୌଡ଼ରେ ଶେଷରେ ଓଡ଼ିଶାର ମୂଲ୍ୟବାନ ଖଣିଜ ସମ୍ପଦ ରାଜ୍ୟ ବାହାରକୁ ଚାଲି ଯିବାର ସମ୍ଭାବନା ରହୁଛି । ଆଜି ସରକାରୀ ଲାଭ ଏବଂ ଶିଳ୍ପସଂସ୍ଥାଗତ ଆବଶ୍ୟକତା ଆଗରେ ସ୍ଥାନୀୟ ଆଦିବାସୀ ଓ ମୂଳବାସୀଙ୍କ ଜୀବନଜୀବିକା ଏବଂ ସେମାନଙ୍କ ଜଙ୍ଗଲ-ଜମି ସମ୍ପୂର୍ଣ୍ଣ ପ୍ରଭାବିତ ହେଉଛି । କୌଣସି ଦୃଢ଼ ବିରୋଧୀ ଦଳ କିମ୍ବା ପରିବେଶଗତ ପ୍ରତିବାଦର ସ୍ୱର ଆଜି ନାହିଁ କହିଲେ ଚଳେ । ପ୍ରତିବାଦ କରିବା ପାଇଁ କୌଣସି ମାଓବାଦୀ ଦଳ ମଧ୍ୟ ନାହାନ୍ତି । ଆଉ ସରକାରଙ୍କୁ ପ୍ରଶ୍ନ କରିବାକୁ କିଏ ବା ଅଛି ? ବିକାଶର ଏହି ଏକପାଖିଆ ପ୍ରବାହରେ କେବଳ କର୍ପୋରେଟ୍ ମାଫିଆଙ୍କ ତିଜୋରି ଭରୁଛି, ଆଉ ନିଜ ଜନ୍ମମାଟିରେ ଆଦିବାସୀମାନେ ନିଜର ଅଧିକାର ଓ ପରିବେଶ ହରାଇ ସର୍ବସ୍ୱାନ୍ତ ହେବାକୁ ବାଧ୍ୟ ହେଉଛନ୍ତି ।






