ସବୁ ବୋହିନେବେ!

ପିନ୍ ବାର୍ତ୍ତା: ରାଜ୍ୟର ଅର୍ଥନୀତିକୁ ଆହୁରି ମଜବୁତ୍ କରିବା, ଶିଳ୍ପାୟନକୁ ସୁଗମ କରିବା ଏବଂ ଖଣିଜ ସମ୍ପଦର ଉତ୍ତୋଳନ ପରେ ତାହାର ନିର୍ବିଘ୍ନ ନିର୍ଗମନ ଓ ପରିବହନକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ସଡ଼କ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛନ୍ତି । ରାୟଗଡ଼ା, କେନ୍ଦୁଝର, ବଡ଼ବିଲ, ସୁକିନ୍ଦା, କଳାହାଣ୍ଡି ଏବଂ ତାଳଚେର, ଏହି ୬ଟି ପ୍ରମୁଖ ଅଞ୍ଚଳକୁ ଗୁରୁତ୍ୱପୂର୍ଣ୍ଣ ଖଣି ଅଞ୍ଚଳ ଭାବେ ଚିହ୍ନଟ କରାଯାଇ ସେଠାରେ ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତିକରଣକୁ ପ୍ରାଥମିକତା ଦେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ଚାଲିଥିବା ବିଭିନ୍ନ ଯୋଜନାର ବ୍ୟୟ ସ୍ଥିତି ସମୀକ୍ଷା ନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି ।

ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଖଣିଜ ବୋଝେଇ ଯାନବାହନର ନିରବଚ୍ଛିନ୍ନ ଚଳାଚଳ ପାଇଁ ଚିହ୍ନଟ କରିଡରଗୁଡ଼ିକରେ ରାସ୍ତାର କ୍ଷମତା ବଢ଼ାଇବାକୁ ପଡ଼ିବ, ଯାହା ଦ୍ୱାରା ଖଣିଜ ନିର୍ଗମନରେ ଦକ୍ଷତା ବଢ଼ିବ ଏବଂ ଖଣି କାର୍ଯ୍ୟକଳାପକୁ ସହାୟତା ମିଳିବ । ଇସ୍ପାତ ଓ ଖଣି ବିଭାଗର ରଣନୈତିକ ଯୋଜନା ଅନୁଯାୟୀ କେନ୍ଦୁଝର–ବଡ଼ବିଲ ଅଞ୍ଚଳର ଚାପକୁ ଦୃଷ୍ଟିରେ ରଖି ବଡ଼ବିଲରେ ୧୮.୩୨୬ କିଲୋମିଟର ଦୀର୍ଘ ଚାରିଲେନ୍‌ ବାଇପାସ୍‌ ରିଙ୍ଗ୍‌ ରୋଡ୍‌ ପ୍ରକଳ୍ପର ଶିଳାନ୍ୟାସ ହୋଇସାରିଛି । ₹୧,୫୮୧.୨୧ କୋଟି ବ୍ୟୟର ଏହି ପ୍ରକଳ୍ପରେ ୯ଟି ବ୍ରିଜ୍ ସହ ଅନ୍ୟାନ୍ୟ ସୁବିଧା ରହିବ ଏବଂ ବଡ଼ବିଲ ସହରର ଯାତାୟାତ ଚାପ କମାଇବା ଏହାର ଅନ୍ୟତମ ଉଦ୍ଦେଶ୍ୟ । ସେହିପରି ଟୋମକା–ମଙ୍ଗଳପୁର ରାସ୍ତାକୁ ସୁକିନ୍ଦାର ପ୍ରମୁଖ ଖଣିଜ ପରିବହନ ପଥ ଭାବେ ଦର୍ଶାଯାଇଥିବା ବେଳେ, ତାଳଚେର କ୍ଷେତ୍ରରେ କୋଇଲା ନିର୍ଗମନ ପାଇଁ ରେଳ ଓ ସଡ଼କ ଭିତ୍ତିଭୂମିର ଆବଶ୍ୟକତା ଉପରେ ଜୋର ଦିଆଯାଇଛି । ରାୟଗଡ଼ା ଓ କଳାହାଣ୍ଡି ଭଳି ଅଞ୍ଚଳରେ ମଧ୍ୟ ଖଣିଜ ଉତ୍ତୋଳନ ବୃଦ୍ଧି ପାଉଥିବାରୁ ନୂଆ ପରିବହନ ଭିତ୍ତିଭୂମିର ଆବଶ୍ୟକତା ବଢ଼ୁଛି ଏବଂ ଏନେଇ ପ୍ରଥମ ପର୍ଯ୍ୟାୟରେ ଇଞ୍ଜିନିୟରିଂ ଅଧିକାରୀମାନଙ୍କଠାରୁ ବିସ୍ତୃତ ଆକ୍ସନ୍‌ ଟେକେନ୍‌ ରିପୋର୍ଟ ମଗାଯାଇଛି ।

ଏହି ୬ଟି ଅଞ୍ଚଳରେ ସଡ଼କ ଭିତ୍ତିଭୂମି ସୁଦୃଢ଼ ହେବା ଦ୍ୱାରା ଖଣିଜ ପରିବହନ ବାଧାମୁକ୍ତ ହୋଇପାରିବ ବୋଲି ଆଶା କରାଯାଉଛି । କେବଳ ଖଣିଜ ପଦାର୍ଥ ବୋହିନେବା ନୁହେଁ, ବରଂ ସ୍ଥାନୀୟ ଅଞ୍ଚଳର ଯାତାୟାତ ସମସ୍ୟା ଦୂର କରିବା ଏବଂ ଶିଳ୍ପାୟନକୁ ସହଜ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଇଞ୍ଜିନିୟରିଂ ଅଧିକାରୀମାନଙ୍କ ପକ୍ଷରୁ ପ୍ରସ୍ତୁତ ହୋଇ ଆସିବାକୁ ଥିବା ଆକ୍ସନ୍‌ ଟେକେନ୍‌ ରିପୋର୍ଟ ହାତକୁ ଆସିବା ପରେ ସରକାରଙ୍କ ଏହି ଯୋଜନାର ପ୍ରକୃତ କାର୍ଯ୍ୟାନ୍ୱୟନ ଏବଂ ରୂପରେଖ ସ୍ପଷ୍ଟ ହେବ ।

ତେବେ ଏହି ବିକାଶର ଏକ ଅନ୍ଧାରୁଆ ଦିଗ ମଧ୍ୟ ରହିଛି, ଯାହାକୁ ଏଡ଼ାଇହେବ ନାହିଁ । ରାଜ୍ୟର ଅର୍ଥନୀତି ଓ କର୍ପୋରେଟ୍ ରାଜସ୍ୱ ବୃଦ୍ଧିର ଏହି ଦୌଡ଼ରେ ଶେଷରେ ଓଡ଼ିଶାର ମୂଲ୍ୟବାନ ଖଣିଜ ସମ୍ପଦ ରାଜ୍ୟ ବାହାରକୁ ଚାଲି ଯିବାର ସମ୍ଭାବନା ରହୁଛି । ଆଜି ସରକାରୀ ଲାଭ ଏବଂ ଶିଳ୍ପସଂସ୍ଥାଗତ ଆବଶ୍ୟକତା ଆଗରେ ସ୍ଥାନୀୟ ଆଦିବାସୀ ଓ ମୂଳବାସୀଙ୍କ ଜୀବନଜୀବିକା ଏବଂ ସେମାନଙ୍କ ଜଙ୍ଗଲ-ଜମି ସମ୍ପୂର୍ଣ୍ଣ ପ୍ରଭାବିତ ହେଉଛି । କୌଣସି ଦୃଢ଼ ବିରୋଧୀ ଦଳ କିମ୍ବା ପରିବେଶଗତ ପ୍ରତିବାଦର ସ୍ୱର ଆଜି ନାହିଁ କହିଲେ ଚଳେ । ପ୍ରତିବାଦ କରିବା ପାଇଁ କୌଣସି ମାଓବାଦୀ ଦଳ ମଧ୍ୟ ନାହାନ୍ତି । ଆଉ ସରକାରଙ୍କୁ ପ୍ରଶ୍ନ କରିବାକୁ କିଏ ବା ଅଛି ? ବିକାଶର ଏହି ଏକପାଖିଆ ପ୍ରବାହରେ କେବଳ କର୍ପୋରେଟ୍ ମାଫିଆଙ୍କ ତିଜୋରି ଭରୁଛି, ଆଉ ନିଜ ଜନ୍ମମାଟିରେ ଆଦିବାସୀମାନେ ନିଜର ଅଧିକାର ଓ ପରିବେଶ ହରାଇ ସର୍ବସ୍ୱାନ୍ତ ହେବାକୁ ବାଧ୍ୟ ହେଉଛନ୍ତି ।

Related Posts

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ପିନ୍ ବାର୍ତ୍ତା: ଓଡ଼ିଶାବାସୀ ବଦଳ ଚାହୁଁଥିଲେ, ଆଉ ଶାସକ ଦଳ ମଧ୍ୟ ବଦଳିଲା । ସରକାର ପରିବର୍ତ୍ତନ ସହ ବିକାଶର ନୂଆ ନାରା ଶୁଣିବାକୁ ମିଳିଲା ଏବଂ ଅନେକ ନୂତନ ପ୍ରକଳ୍ପର ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ମାତ୍ର ବାସ୍ତବତା କିନ୍ତୁ…

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ପିନ୍ ବାର୍ତ୍ତା: ମାଲକାନଗିରି ଜିଲ୍ଲାରେ ବିକାଶ ଏବଂ ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଅନ୍ୟତମ ଆଦିମ ଜନଜାତି (PVTG) ଭାବେ ପରିଚିତ ବଣ୍ଡା ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ପାଇଁ ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା…

Leave a Reply

Your email address will not be published. Required fields are marked *

You Missed

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ଲୋକଙ୍କୁ ନିଜର କରି ପାରିଲେନି 

ଲୋକଙ୍କୁ ନିଜର କରି ପାରିଲେନି 

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଜଟିଳ ହେଉଛି ବନ୍ୟା ସମସ୍ୟା

ଜଟିଳ ହେଉଛି ବନ୍ୟା ସମସ୍ୟା