ପିନ୍ ବାର୍ତ୍ତା: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି)କୁ ଆଗାମୀ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରାଯାଉଥିବା ଦର୍ଶାଇ ଏକ ଜନସ୍ୱାର୍ଥ ମାମଲା (PIL) ଦାଖଲ ହୋଇଥିଲା, ଯାହାର ଶୁଣାଣି ସମୟରେ ଅଦାଲତ ଏହି ସ୍ଥଗିତାଦେଶ ଜାରି କରିଛନ୍ତି ।
ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ମାମଲା ଉପସ୍ଥାପନ କରି ଅଭିଯୋଗ କରିଥିଲେ ଯେ, ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଏଡ଼ାଇବା ପାଇଁ ଶେଷ ମୁହୂର୍ତ୍ତରେ ଜଣେ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇ ୟୁପିଏସସିକୁ ପଠାଯିବାକୁ ଥିବା ପ୍ୟାନେଲରେ ସାମିଲ କରାଯାଉଛି । ଯାହା କି ଭୁଲ ଅଟେ । ତେବେ ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏହି ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଥିଲେ ଏବଂ ଏଭଳି ଏକ ସେବା ବିବାଦ ମାମଲାରେ ପିଆଇଏଲ୍ ଗ୍ରହଣଯୋଗ୍ୟ ନୁହେଁ ବୋଲି ଯୁକ୍ତି ଦର୍ଶାଇଥିଲେ ।
ମାନ୍ୟବର ଅଦାଲତ ମଧ୍ୟ ପିଆଇଏଲ୍ ର ଗ୍ରହଣଯୋଗ୍ୟତା ନେଇ ସନ୍ଦେହ ପ୍ରକାଶ କରିଥିଲେ, କିନ୍ତୁ ପ୍ରକାଶ ସିଂହ ମାମଲାର ଆମିକସ୍ କୁରାଇ (ନ୍ୟାୟିକ ବନ୍ଧୁ) ତଥା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନ ଆବେଦନକୁ ସମର୍ଥନ କରି ଚୟନ ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ହେଉଥିବା ଦର୍ଶାଇଥିଲେ । ଆମିକସ୍ କୁରାଇଙ୍କ ଏହି ମତାମତକୁ ଗ୍ରହଣ କରି ସୁପ୍ରିମକୋର୍ଟ ୟୁପିଏସସିକୁ ନିର୍ଦ୍ଦିଷ୍ଟ ବୈଠକ ତଥା ଚୟନ ପ୍ରକ୍ରିୟାକୁ ଅଗଷ୍ଟ ୧୮ ଯାଏଁ ସ୍ଥଗିତ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ସରକାରଙ୍କ ଏଭଳି ତରବରିଆ ନିଷ୍ପତି ନେବା ବର୍ତମାନ ସର୍ବସାଧାରଣରେ ଗଭୀର ସନ୍ଦେହ ସୃଷ୍ଟି କରିଛି। ସ୍ୱଚ୍ଛତା ଏବଂ ନିୟମକୁ ଜଳାଞ୍ଜଳି ଦେଇ ନିଜ ପସନ୍ଦର ଅଧିକାରୀଙ୍କୁ ପଦବୀରେ ବସାଇବା ପାଇଁ ଶେଷ ମୁହୂର୍ତ୍ତରେ ହେଉଥିବା ଏପରି ଅସାଧୁ ପ୍ରୟାସ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବାରମ୍ବାର ଏଭଳି ବେଆଇନ କାର୍ଯ୍ୟକଳାପ ଦର୍ଶାଉଛି ଯେ ଶାସକ ବର୍ଗ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କୁ ମଧ୍ୟ ଖାତିର କରୁନାହାନ୍ତି, ଯାହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।






