ଆସିକା ଲୋକସଭାରେ ଗୁରୁତର ହେଉଛି ସାଂସଦ-ବିଧାୟକମାନଙ୍କ ଝଗଡ଼ା

ଓଡ଼ିଶାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ସରକାର ଗଠନ ପଛରେ ଗଞ୍ଜାମ ଜିଲାର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । କାରଣ ଏହି ଜିଲାର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୧ଟିରେ ବିଜେପି ଜିତିଥିଲା । ଯାହା ଏକ ବହୁମତ ସରକାର ଗଠନରେ ବେଶ୍‌ ସାହାଯ୍ୟ କରିଥିଲା । ଏକଦା ବିଜେଡିର ଗଡ଼ ଥିବା ଏହି ଜିଲାରେ ବିଜେପି ଏକତରଫା ଜିତିଥିଲେ ମଧ୍ୟ ନିର୍ବାଚନ ପରେ ଦଳ ତୀବ୍ର ଗୋଷ୍ଠୀ କନ୍ଦଳ ଭିତରେ ରହିଛି । ବିଶେଷକରି ସାଂସଦ ଏବଂ ବିଧାୟକଙ୍କ ଭିତରେ ଝଗଡ଼ା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଉଭୟ ବ୍ରହ୍ମପୁର ଏବଂ ଆସିକା ସଂସଦୀୟ କ୍ଷେତ୍ରରେ ସମାନ ସ୍ଥିତି ଦେଖିବାକୁ ମିଳିଛି ।

୧୯୭୭ ମସିହାରେ ଆସିକା ସଂସଦୀୟ କ୍ଷେତ୍ର ଗଠନ ହେବା ପରେ ଗତ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ଏଥିରେ ଜିତିଛି । ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଅନିତା ଶୁଭଦର୍ଶନୀ ପଟ୍ଟନାୟକ । ୨୦୧୯ ମସିହା ନର୍ବାଚନରେ ଦୁଇ ଲକ୍ଷରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିବା ଅନିତା କିନ୍ତୁ ୨୦୨୪ ମସିହାରେ ପ୍ରାୟ ଲକ୍ଷେ ଭୋଟ୍‌ରେ ବିଜୟୀ ହୋଇଥିଲେ । ସେହିଭଳି ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରୁ ୫ଟିରେ ବିଜେପି ଜିତିଛି। କିନ୍ତୁ କୁହାଯାଉଛି, ନିର୍ବାଚନ ପରଠୁ ସାଂସଦ ଏବଂ ବିଧାୟକଙ୍କ ଭିତରେ ତିକ୍ତତା ସୃଷ୍ଟି ହୋଇଥିଲା । ତାହା କ୍ରମଶଃ ବଢ଼ି ବଢ଼ି ଗୁରୁତର ଅବସ୍ଥାକୁ ଗଲାଣି ।

ବିଜେପି ଦଖଲରେ ଥିବା ସମସ୍ତ ୫ଟି ବିଧାନସଭା ଯଥା ଆସିକା, କବିସୂର୍ଯ୍ୟନଗର, ଖଲିକୋଟ ଏବଂ ପୋଲସରା ନିର୍ବାଚନ ମଣ୍ଡଳୀରେ ସାଂସଦ ଏବଂ ବିଧାୟକଙ୍କ ଗୋଷ୍ଠୀ ଭିତରେ କେଉଁଠି ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଆଉ କେଉଁଠି ଖୋଲାଖୋଲି ଝଗଡ଼ା ଚାଲିଛି । ପରିସ୍ଥିତି ଏମିତି ହେଲାଣି ଯେ, ବିଜେପି କର୍ମୀଙ୍କୁ ଦେଖିଲେ ଲୋକେ ପଚାରୁଛନ୍ତି ‘ତୁମେ କେଉଁ ଗୋଷ୍ଠୀର ?’ । ସାଂସଦ ଅନିତା ପଟ୍ଟନାୟକ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗଲେ ମଧ୍ୟ ସ୍ଥାନୀୟ ବିଧାୟକଙ୍କୁ ଭେଟୁ ନାହାନ୍ତି । ନିଜସ୍ଵ ସମର୍ଥକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଉଦାହରଣ ହେଲା, ଗତ ୨୦ ତାରିଖରେ ସାଂସଦ ଯାଇଥିଲେ ଖଲ୍ଲିକୋଟ । ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଏବଂ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କଲେ । ସେଇ ଦିନ ହିଁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବଡ଼ ମିଶ୍ରଣ ପର୍ବ ଆୟୋଜନ କଲେ । କିନ୍ତୁ ବିଧାୟକଙ୍କ କାର୍ଯ୍ୟକ୍ରମକୁ ସାଂସଦ ଗଲେ ନାହିଁ କିମ୍ବା ସାଂସଦଙ୍କ କାର୍ଯ୍ୟକ୍ରମକୁ ବିଧାୟକ ଗଲେ ନାହିଁ ।

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଘଟଣା ଆହୁରି ରୋଚକ । ଗତ ୨୬ ତାରିଖରେ ଦୁଇଟି ରାସ୍ତା ଭିତ୍ତି ପ୍ରସ୍ଥର କାର୍ଯ୍ୟକ୍ରମ ଥିଲା । ଉଭୟ କାର୍ଯ୍ୟକ୍ରମର ଫଳକରେ ସାଂସଦଙ୍କ ନାଁ ନଥିଲା । ତାଙ୍କ ସମର୍ଥକମାନେ ଫଳକ ଭାଙ୍ଗି ଦେଲେ । ଫଳକ ଭାଙ୍ଗିବା ପରେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଏକ ଫ୍ଳେକ୍ସ ଲଗାଇ ଭିତ୍ତି ପ୍ରସ୍ଥର ପକାଇଥିଲେ ।

ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ପୁରୁଣା ବିବାଦ । କାରଣ ଏହି ନିର୍ବାଚନ ମଣ୍ଡଳୀରୁ ଏକଦା ଅନିତାଙ୍କ ବାପା ତଥା ତତ୍କାଳୀନ ‘ଗଞ୍ଜାମ ଟାଇଗର୍‌’ ରାମକୃଷ୍ଣ ପଟ୍ଟନାୟକ ଏବଂ ମା’ କୁମୁଦିନୀ ପଟ୍ଟନାୟକ ନିର୍ବାଚନ ଲଢ଼ୁଥିଲେ । ଏପରିକି ୨୦୧୪ ମସିହାରେ କୁମୁଦିନୀ ପଟ୍ଟନାୟକ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ସେହି ସମୟରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଗୋକୁଳାନନ୍ଦ ମଲ୍ଲିକ । ଏଣୁ ଉଭୟଙ୍କ ଭିତରେ ତିକ୍ତତା ବହୁ ପୁରୁଣା । କେବଳ ଏହି ତିନୋଟି ନିର୍ବାଚନ ମଣ୍ଡଳୀ ନୁହଁ, ଆସିକା ବିଧାୟକ ସରୋଜ ପାଢ଼ୀ ଏବଂ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ସହିତ ମଧ୍ୟ ସାଂସଦ ଅନିତା ଶୁଭଦର୍ଶନୀଙ୍କ ସମ୍ପର୍କ ଭଲ ନାହିଁ । ଆଗାମୀ ଦିନରେ ସାଂସଦ ଏବଂ ବିଧାୟକମାନଙ୍କ ଭିତରେ କନ୍ଦଳ ଆହୁରି ଉଗ୍ର ହେବ ବୋଲି ଆଶଙ୍କା କରାଯାଉଛି ।

  • Related Posts

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

    Leave a Reply

    Your email address will not be published. Required fields are marked *

    You Missed

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ