ଚାଲି ଯାଉଛି ଅମୂଲ୍ୟ ଜୀବନ

ସେପ୍ଟିକ୍ ଟାଙ୍କି ସଫା କିମ୍ବା ନିର୍ମାଣ କରିବା ସମୟରେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇବା ଘଟଣା ଆମ ସମାଜରେ ଏକ ଦୁଃଖଦ ତଥା ନିତିଦିନିଆ ବାସ୍ତବତା ପାଲଟିଗଲାଣି । ସବୁ ଜାଣି ମଧ୍ୟ ଜଣେ ଶ୍ରମିକକୁ ମୃତ୍ୟୁର କୂପ ଭିତରକୁ ଠେଲି ଦେବା ଆମ ସାମାଜିକ ଓ ପ୍ରଶାସନିକ ବ୍ୟବସ୍ଥାର ବଡ଼ ବିଫଳତା ସାଜିଛି । ନିକଟରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗାଁରେ ଏକ ନିର୍ମାଣଧୀନ ଶୌଚାଳୟ ଟାଙ୍କିର କାନ୍ଥ ଭୁଷୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକ ଚାପି ହୋଇ ପ୍ରାଣ ହରାଇଛନ୍ତି । ଏହି ଦୁଃଖଦ ଘଟଣା ପରେ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ସତ , କିନ୍ତୁ ଏଭଳି ଅଘଟଣର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ହୋଇପାରି ନାହିଁ । କେବଳ ଏହି ଗୋଟିଏ ଘଟଣା ନୁହେଁ , ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ଅନେକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । କଟକ ଓ ଭୁବନେଶ୍ୱର ଭଳି ମହାନଗର ନିଗମ ଅଞ୍ଚଳରେ ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ସେପ୍ଟିକ୍ ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଶ୍ରମିକ ମୃତ୍ୟୁବରଣ କରିବାର ଏକାଧିକ ନଜିର ରହିଥିବା ବେଳେ ରାୟଗଡ଼ା ଏବଂ ଗଞ୍ଜାମର ଗ୍ରାମାଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବିନା ଟାଙ୍କି ଭିତରକୁ ଓହ୍ଲାଇବା କାରଣରୁ ଶ୍ରମିକମାନେ ଅକାଳରେ ଆଖି ବୁଜିଛନ୍ତି ।

ତେବେ ଏହି ସମସ୍ତ ଦୁର୍ଘଟଣା ପଛରେ କେତେକ ନିର୍ଦ୍ଦିଷ୍ଟ କାରଣ ରହିଛି । ବନ୍ଦ ସେପ୍ଟିକ୍ ଟାଙ୍କି ଭିତରେ ଦୀର୍ଘ ସମୟ ଧରି ମିଥେନ୍ , ହାଇଡ୍ରୋଜେନ୍ ସଲଫାଇଡ୍ ଏବଂ କାର୍ବନ ମୋନୋକ୍ସାଇଡ୍ ଭଳି ଜୀବନନାଶକ ଗ୍ୟାସ୍ ଜମା ହୋଇ ରହିଥାଏ । ଶ୍ରମିକମାନେ ଏହାର ଭୟାବହତାକୁ ନ ଜାଣି ଭିତରକୁ ଓହ୍ଲାଇବା କ୍ଷଣି ସଂଜ୍ଞାହୀନ ହୋଇପଡ଼ନ୍ତି ଏବଂ ଠିକ୍ ସମୟରେ ଉଦ୍ଧାର କରାଯାଇ ନପାରିଲେ ସେମାନଙ୍କର ମୃତ୍ୟୁ ଘଟେ । ଅଧିକାଂଶ କ୍ଷେତ୍ରରେ ଗରିବ ଏବଂ ଅଣକୁଶଳୀ ଶ୍ରମିକମାନେ କୌଣସି ଅମ୍ଳଜାନ ମାସ୍କ ବା ସୁରକ୍ଷା ସୁଟ୍ ନପିନ୍ଧି ପାରମ୍ପରିକ ପଦ୍ଧତିରେ କାମ କରନ୍ତି । ଏହା ସହିତ ସଚେତନତାର ଘୋର ଅଭାବ ଯୋଗୁଁ କାମ ଆରମ୍ଭ କରିବା ପୂର୍ବରୁ ଟାଙ୍କିର ବିଷାକ୍ତ ଗ୍ୟାସ ବାହାର କରିବା ପାଇଁ ପର୍ଯ୍ୟାପ୍ତ ସମୟ ପର୍ଯ୍ୟନ୍ତ ଏହାକୁ ଖୋଲା ମଧ୍ୟ ରଖାଯାଏ ନାହିଁ , ଯାହା ସେମାନଙ୍କ ପାଇଁ ମୃତ୍ୟୁର ସାଧନ ସାଜିଥାଏ ।

ଏହିଭଳି ବିପଜ୍ଜନକ ସ୍ଥିତିକୁ ରୋକିବା ପାଇଁ ସରକାରଙ୍କୁ ତୁରନ୍ତ କିଛି କଠୋର ପଦକ୍ଷେପ ନେବାକୁ ହେବ । ସର୍ବପ୍ରଥମେ ପ୍ରତି ପୌରାଞ୍ଚଳ ଓ ବ୍ଲକ ସ୍ତରରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ବା ସହାୟକ ସଂସ୍ଥା (Helping Body) ଗଠନ କରାଯିବା ଆବଶ୍ୟକ । ସେପ୍ଟିକ୍ ଟାଙ୍କି ସଫା କିମ୍ବା ମରାମତି କରିବା ପୂର୍ବରୁ ଏହି ସଂସ୍ଥାରୁ ଅନୁମତି ଓ ଆବଶ୍ୟକୀୟ ବୈଷୟିକ ସହାୟତା ନେବା ବାଧ୍ୟତାମୂଳକ ହେବା ଉଚିତ । ଏହା ସହିତ ମାନବୀୟ ପ୍ରେରଣା ବା ହାତରେ ମଳ ସଫା କରିବା ପ୍ରଥାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇ କେବଳ ସକସନ୍ ମେସିନ୍ ଓ ରୋବୋଟିକ୍ ସେବା ଜରିଆରେ ସଫେଇ କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍। ସେପ୍ଟିକ୍ ଟାଙ୍କି କାର୍ଯ୍ୟରେ ନିୟୋଜିତ ସମସ୍ତ ପଞ୍ଜୀକୃତ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ଗ୍ୟାସ୍ ଡିଟେକ୍ଟର , ଅମ୍ଳଜାନ ମାସ୍କ ଏବଂ ପ୍ରତିରୋଧକ ପୋଷାକ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେବା ଜରୁରୀ । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଜରୁରୀକାଳୀନ ହେଲ୍ପଲାଇନ ଟୋଲ୍ – ଫ୍ରି ନମ୍ବର ଜାରି କରାଯାଇପାରିବ , ଯେଉଁଠାରେ ସଫେଇ ପାଇଁ ଅଭିଜ୍ଞ ଶ୍ରମିକ ଓ ସରକାରୀ ମେସିନ୍ ସହଜରେ ଉପଲବ୍ଧ ହୋଇପାରିବେ । ଏହା ସହିତ ଏହି ବିପଜ୍ଜନକ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ବ୍ୟବସ୍ଥା ରହିବା ଦରକାର , ଯାହାଦ୍ୱାରା କୌଣସି ଅଘଟଣ ଘଟିଲେ ସେମାନଙ୍କ ପରିବାର ଆର୍ଥିକ ଅନାଥ ହେବେ ନାହିଁ । ବ୍ୟାପକ ଜନସଚେତନତା ସୃଷ୍ଟି କରି ଗୃହନିର୍ମାଣ କରୁଥିବା ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରାଯିବା ଆବଶ୍ୟକ ଯେ , ସେମାନେ ଯେପରି କୌଣସି ଶ୍ରମିକଙ୍କୁ ବିନା ସୁରକ୍ଷାରେ ଏଭଳି ବିପଦପୂର୍ଣ୍ଣ କାମରେ ନ ଲଗାନ୍ତି । ମାତ୍ର କେଇଟା ଟଙ୍କା ପାଇଁ କୌଣସି ଗରିବ ଶ୍ରମିକଙ୍କ ଜୀବନ ଯିବା ଆଦୌ ଗ୍ରହଣୀୟ ନୁହେଁ । ପ୍ରଶାସନିକ ସଜାଗତା , ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ଜନସାଧାରଣଙ୍କ ଦାୟିତ୍ୱବୋଧ ହିଁ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରିପାରିବ ।

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ