ବାଲଡାରୁ ସିଜିମାଳି ପର୍ଯ୍ୟନ୍ତ ଆଦିବାସୀଙ୍କ ଲଢେଇ ଜାରି ରହିଛି । କୌଣସି ପରିସ୍ଥିତିରେ ବି ସେମାନେ ହାର ମାନି ନାହାନ୍ତି, ଦମ୍ଭର ସହ ସରକାର ଓ କମ୍ପାନୀ ବିରୁଦ୍ଧରେ ଛିଡା ହୋଇଛନ୍ତି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଖଣି ଖନନକୁ ତୀବ୍ର ବିରୋଧ କରିବା ଅଦାନୀ ବିରୁଦ୍ଧରେ ମଧ୍ୟ ଲଢେଇ ଜାରି ରଖିଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲା ସିଜିମାଳିରେ ଆଦିବାସୀଙ୍କ ଉପରେ ବେଦାନ୍ତ ଓ ମୈତ୍ରୀ କମ୍ପାନୀ ଅତ୍ୟାଚାର ସେମାନେ କଡ଼ା ବିରୋଧ କରିଛନ୍ତି । ଆଦିବାସୀଙ୍କ ପରିଚୟ, ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହେବାକୁ ଥିବା ବେଳେ ଜଙ୍ଗଲ ଜମି କାହାକୁ ବି ଅକ୍ତିଆର କରିବାକୁ ଦେବେ ନାହିଁ ବୋଲି ଅଡ଼ି ବସିଛନ୍ତି । ସେହିପରି କୋରାପୁଟ ଜିଲ୍ଲା ସେରୁବନ୍ଧ ପାହାଡ଼ରେ ମଧ୍ୟ ଆଦିବାସୀମାନେ ଜୋରଦାର ବିରୋଧ କରୁଛନ୍ତି ।
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଖଣି ଖନନକୁ ଗତ କିଛି ମାସ ହେଲାଣି ବାଲଡା, କୁଲାବିର, ଭେଜା, ବାଡେଲ ଓ ଅତଣ୍ଡା ଆଦି ୧୨ ଗୋଟି ପଞ୍ଚାୟତବାସୀ ବିରୋଧ କରିଆସୁଛନ୍ତି । ଏହି ପଞ୍ଚାୟତବାସୀଙ୍କ ପ୍ରତିନିଧିତ୍ଵ କରୁଥିବା ନାଗେଶ୍ବରୀ ବନ ସୁରକ୍ଷା ସମିତି ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆନ୍ଦୋଳନକାରୀ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ଏହି ପାହାଡ଼ ଉପରେ ଆଖପାଖର ୮ଟି ପଞ୍ଚାୟତବାସୀ ନିର୍ଭରଶୀଳ । ସେମାନେ ପାହାଡ଼ ଉପରେ ଅଧିଷ୍ଠିତ ମା’ ନାଗେଶ୍ଵରୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି । ପାହାଡ଼ ମଧ୍ୟରୁ କନ୍ଦା, ଫୁଲ, ଫଳମୂଳ ପ୍ରଭୃତି ସଂଗ୍ରହ କରି ସ୍ଥାନୀୟ ଲୋକେ ଜୀବନଜୀବିକା ନିର୍ବାହ କରୁଥିବା ବେଳେ କିଛି ଲୋକେ ତଳ ମୁଣ୍ଡରେ ଚାଷବାସ କରି ପରିବାର ଚଳାଉଛନ୍ତି । ତେବେ ସରକାର ଅଦାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଖଣି ଖନନକୁ କାହିଁକି ଅନୁମତି ଦେଉଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ବାଲଡା ପାହାଡ଼ ଉପରେ ଥିବା ନାଗେଶ୍ୱରୀ ଗୁମ୍ଫାରେ ପ୍ରତିବର୍ଷ ଧୁମଧାମରେ ପାଳନ ହେଉଥିବା ନାଗେଶ୍ୱରୀ ଯାତ୍ରାକୁ ମଧ୍ୟ ଏବର୍ଷ ବନ୍ଦ କରିବାକୁ ଅଦାନୀ ଜୋରସୋରରେ ପ୍ରୟାସ କରିଥିଲେ । କିନ୍ତୁ ଆଦିବାସୀମାନେ ବର୍ଷ ବର୍ଷ ଧରି ଚାଲିଆସିଥିବା ସେମାନଙ୍କ ପରମ୍ପରା ଭାଙ୍ଗିବାକୁ ଦେଇନଥିଲେ । ସେମାନେ ରୀତିନୀତି ଅନୁଯାୟୀ ନାଗେଶ୍ୱରୀଙ୍କ ପୂଜା କରିବା ସହ ଯାତ୍ରା ମଧ୍ୟ କରିଥିଲେ । ଏପରିକି କମ୍ପାନୀ କଥାରେ ଜୟପୁର ରାଜା ମଧ୍ୟ ଯାତ୍ରାକୁ ଆସିପାରିବେ ନାହିଁ ମନା କରିଥିଲେ । ପରେ ଏଥିପାଇଁ ରାଜା ଅଞ୍ଚଳବାସୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।
ସେହିପରି କିଛିଦିନ ତଳେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ କମ୍ପାନୀର ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ । ବେଦାନ୍ତ କମ୍ପାନୀ ଓ ପ୍ରଶାସନ ସିଜିମାଳି ଖଣିକୁ ରାସ୍ତା କରିବା ପାଇଁ ପଦକ୍ଷେପ ନେଉଥିବାରୁ ଲୋକେ ଭିଟାମାଟି ହରାଇବା ଭୟରେ ବିରୋଧ ଆରମ୍ଭ କରିଥିଲେ । ତେବେ ଉପଜିଲ୍ଲାପାଳ ଉକ୍ତ ଅଞ୍ଚଳରେ ବିଏନ୍ଏସ୍ଏସ ଧାରା ୧୬୩ ଲାଗୁ କରିଥିଲେ । ରାୟଗଡ଼ା ଜିଲ୍ଲାପାଳ ମଧ୍ୟ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ସେମାନଙ୍କୁ ପଟ୍ଟା ମାଗିବା ଅତି ଦୁଃଖଦ ଘଟଣା ବୋଲି ସେମାନେ କହିଛନ୍ତି ।
ତଥାପି ଜୀବନକୁ ବାଜି ଲଗାଇ ନିଜ ଜମି ପାଇଁ ସିଜିମାଳି ପାହାଡ଼ର ସୁରକ୍ଷାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧନୁତୀର, ଟାଙ୍ଗିଆ ଓ ଠେଙ୍ଗା ଆଦି ଧରି ରାସ୍ତା ନ କରାଇଦେବା ଲାଗି ୨୪ ଘଣ୍ଟା ଜଗି ବସିଛନ୍ତି । ଶାଗବାରି, କଣ୍ଟାମାଳ, ସରାମବାଇ, ବନ୍ତେଜି ସମେତ ପ୍ରାୟ ୮ରୁ ଉର୍ଦ୍ଧ୍ୱ ଗାଁର ଲୋକେ ଏଥିରେ ସାମିଲ ହୋଇଛନ୍ତି । ନିଜ ଜମିର ସୁରକ୍ଷା ପାଇଁ ଦେହରେ ଗୁଳି ଖାଇବୁ ହେଲେ ଜମି କମ୍ପାନୀକୁ ଦେବୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ମିଥ୍ୟା ଆଶ୍ୱାସନା ଦେଖାଇ ଏଭଳି ଖଣି ଖନନ କରିବାକୁ ଆସିଲେ ଅଞ୍ଚଳବାସୀ ବିରୋଧ କରିବେ ବୋଲି ପାହାଡ଼ ପାଦଦେଶରେ ଜଗି ବସିଥିବା ମହିଳାମାନେ କହିଛନ୍ତି ।
ମିଛ ଗ୍ରାମସଭା କରି ମୃତ, ନାବାଳକ ଓ ଅନାମଧେୟ ଲୋକଙ୍କ ସ୍ଵାକ୍ଷର ନେଇ ସିଜିମାଳି ବକ୍ସାଇଟ ଖଣି ଖନନ କରିବାକୁ ବେଦାନ୍ତ ଓ ମୈତ୍ରୀ କମ୍ପାନୀର ମସୁଧା ଓ ନୂଆ ରେଳ ଲାଇନ ବିଛାଇ ଖଣିଜ ଦ୍ରବ୍ୟ ପରିବହନ କରିବାକୁ ସରକାରଙ୍କ ତତ୍ପରତା ଆଦିବାସୀ ମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ତେବେ ସରକାର ଓ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ସମର୍ଥନ କଲେ ହୁଏତ ଆଦିବାସୀମାନେ ସେମାନେ ଜୀବନଜୀବିକା ବଞ୍ଚାଇ ପାରିବେ ଓ ଭିଟାମାଟିକୁ ସୁରକ୍ଷା ଦେଇପାରିବେ । ଆଦିବାସୀ ମାନଙ୍କ ସ୍ୱାର୍ଥ, ସମ୍ମାନ ଓ ସୁରକ୍ଷାକୁ ଅଣଦେଖା କରିବା ସରକାରଙ୍କ ପାଇଁ ମହଙ୍ଗା ପଡ଼ିବ ।








