ଭୁବନେଶ୍ୱରରେ ଆୟୋଜିତ ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ–୨୦୨୬’ ପୂର୍ବ ଭାରତର କୃଷି ଓ କୃଷକଙ୍କ ବିକାଶ ପାଇଁ ଏକ ନୂଆ ଦିଗ ଦେଖାଇଛି । ଓଡ଼ିଶା, ବିହାର, ଝାରଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ, ଏହି ୫ଟି ରାଜ୍ୟର କୃଷି ବିକାଶ ପାଇଁ ଏକ ସାମୂହିକ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାକୃତିକ ଚାଷକୁ ଆଗାମୀ ଦିନରେ କୃଷିର ମୂଳ ଆଧାର ବୋଲି ବର୍ଣ୍ଣନା କରିଥିଲେ । ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଯୋଗୁଁ ମାଟିର ଉର୍ବରତା କ୍ଷୟ ହେଉଥିବା ଉପରେ ସେ ଚିନ୍ତା ପ୍ରକାଶ କରି କହିଥିଲେ ଯେ, କୃଷିକୁ ପୁଣି ପ୍ରକୃତି ସହ ଯୋଡ଼ିବା ସମୟ ଆସିଛି । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦରେ ଓଡ଼ିଶାର ଚାଉଳ ବ୍ୟବହାର ହେଉଥିବା ଉଲ୍ଲେଖ କରି ସେ ଏହାକୁ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କହିଥିଲେ ।
କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର କୃଷି ବିକାଶ ଓ ଧାନ କ୍ରୟ ବ୍ୟବସ୍ଥାର ପ୍ରଶଂସା କରି କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଓ ଅନୁକୂଳ ଜଳବାୟୁ ଏହି ଅଞ୍ଚଳକୁ ଦେଶର କୃଷି ଶକ୍ତିକେନ୍ଦ୍ରରେ ପରିଣତ କରିପାରିବ । ସେ ପ୍ରତ୍ୟେକ ଚାଷୀଙ୍କୁ ନିଜ ଜମିର ଅତିକମରେ ୨୦ ପ୍ରତିଶତ ଅଞ୍ଚଳରେ ପ୍ରାକୃତିକ ଚାଷ କରିବାକୁ ଆହ୍ୱାନ ଦେଇଥିଲେ । ନକଲି ସାର ଓ କୀଟନାଶକ ବିରୋଧରେ କଠୋର ପଦକ୍ଷେପ ସହ ନୂଆ ‘ପେଷ୍ଟିସାଇଡ୍ ଆକ୍ଟ’ ଆଣିବା ନେଇ ମଧ୍ୟ ସୂଚନା ଦେଇଥିଲେ । ଓଡ଼ିଶା ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାଗୁଡ଼ିକ ବିଶେଷ ଆକର୍ଷଣ ହୋଇଥିଲା । ‘ସମୃଦ୍ଧ କୃଷକ ଯୋଜନା’ରେ ପ୍ରତି କ୍ୱିଣ୍ଟାଲ ଧାନ ପିଛା ୩୧୦୦ ଟଙ୍କା ଦରରେ କ୍ରୟ, ‘ସିଏମ କିଷାନ’ ଯୋଜନାରେ ଆର୍ଥିକ ସହାୟତା ଓ ଫସଲ ବୀମାରେ ଚାଷୀଙ୍କ ପ୍ରିମିୟମ ରାଜ୍ୟ ସରକାରଙ୍କ ପକ୍ଷରୁ ବହନ ଭଳି ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ଭାବେ ସଶକ୍ତ କରୁଥିବା କୁହାଯାଇଥିଲା ।
କୃଷି ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟର ସମସ୍ତ ସବ-ଡିଭିଜନରେ କୋଲ୍ଡ ଷ୍ଟୋରେଜ ସ୍ଥାପନ, କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଓ କୋରାପୁଟ କଫିର ବ୍ରାଣ୍ଡିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । କୋରାପୁଟ ଓ କଳାହାଣ୍ଡି ସହ ୬ଟି ଜିଲ୍ଲାରେ ବ୍ୟାପକ କଫି ଚାଷ ଯୋଜନା ଓଡ଼ିଶାର କୃଷିକୁ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି । ପୂର୍ବ ଭାରତର କୃଷି ଉତ୍ପାଦନ କ୍ଷମତାକୁ ବଢ଼ାଇବା, ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ଓ ଚାଷୀଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭର କରାଇବା ଦିଗରେ ପଦକ୍ଷେପ ନିଆଯାଉଛି । ‘ପୂର୍ବୋଦୟ’ ମିଶନକୁ ସାର୍ଥକ କରିବାରେ ଏହି ସମ୍ମିଳନୀ ଏକ ଐତିହାସିକ ମାଇଲଷ୍ଟୋନ ବୋଲି ମନେ କରାଯାଉଛି ।








