ପିନ୍ ବାର୍ତ୍ତା: ବହୁ ଚର୍ଚ୍ଚିତ ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ ପାସ୍ ହେବା ପରେ ଓଡ଼ିଶାର ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଏବଂ ଏହାକୁ ନେଇ ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ ଏହି ଆଇନ ଉପରେ ସ୍ପଷ୍ଟ ମତ ରଖିଛନ୍ତି । ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ ହେଉଛି ଭାରତର ଏକ ପ୍ରମୁଖ କେନ୍ଦ୍ରୀୟ ଆଇନ, ଯାହା ଦେଶର ଖଣି କ୍ଷେତ୍ର, ଖଣିଜ ବିକାଶ ଏବଂ ଖଣିଜ ପଦାର୍ଥ ଉତ୍ତୋଳନକୁ ନିୟନ୍ତ୍ରଣ କରିଥାଏ ଏବଂ ରାଜ୍ୟଗୁଡ଼ିକର ଖଣିଜ ସମ୍ପଦ ତଥା ଭୂମି ଉପରେ କର ଆଦାୟ କରିବାର କ୍ଷମତାକୁ ସୀମିତ କରିଥାଏ । ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ଟି ସଂସଦରେ ଅନୁମୋଦନଲାଭ କରି ଅଗଷ୍ଟ ୧୨, ୨୦୨୬ରେ ଲୋକସଭା ଏବଂ ଅଗଷ୍ଟ ୧୩, ୨୦୨୬ରେ ରାଜ୍ୟସଭାରେ ପାରିତ ହୋଇଥିଲା ।
ଏହି ବିଲ୍ ପାସ୍ ହେବା ପରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସବୁଠାରୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ରାଜ୍ୟର ଆର୍ଥିକ ଅଧିକାର ଉପରେ କୁଠାରଘାତ ଏବଂ ରାଜକୀୟ ସଂଘୀୟ ବ୍ୟବସ୍ଥା ପ୍ରତି ଏକ ପ୍ରଚଣ୍ଡ ଧକ୍କା ବୋଲି ଦର୍ଶାଇଛନ୍ତି । ସେ ଆଜି ଏକ ଭିଡିଓ ମାଧ୍ୟମ ରେ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ୨୦୦୦ ମସିହାରେ ତାଙ୍କ ସରକାର କ୍ଷମତାକୁ ଆସିବା ବେଳେ ଓଡ଼ିଶାର ଅର୍ଥନୀତି ଅତ୍ୟନ୍ତ ଶୋଚନୀୟ ସ୍ଥିତିରେ ଥିଲା ଏବଂ ରାଜ୍ୟ ଓଭରଡ୍ରାଫ୍ଟ ଉପରେ ନିର୍ଭର କରୁଥିଲା । କିନ୍ତୁ ୨୦୨୪ରେ ସରକାର ପରିବର୍ତ୍ତନ ହେବା ବେଳକୁ ସେମାନେ ଦୃଢ଼ ଆର୍ଥିକ ପରିଚାଳନା ବଳରେ ୫୦,୦୦୦ କୋଟି ଟଙ୍କାର ରାଜସ୍ୱ ବଳକା (revenue surplus) ଛାଡ଼ି ଯାଇଥିଲେ । ଏହି ଉନ୍ନତ ଆର୍ଥିକ ସ୍ଥିତି ଯୋଗୁଁ ରାଜ୍ୟର ଦ୍ରୁତ ବିକାଶ, ଦାରିଦ୍ର୍ୟ ହ୍ରାସ, ଭିତ୍ତିଭୂମି ନିର୍ମାଣ ଏବଂ ଜନକଲ୍ୟାଣ କାର୍ଯ୍ୟଗୁଡ଼ିକ ସମ୍ଭବ ହୋଇପାରିଥିଲା ଏବଂ ଏଥିରେ ଖଣିଜ ରାଜସ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ସେ ମତ ଦେଇଛନ୍ତି । ରାଜ୍ୟଗୁଡ଼ିକର ଆର୍ଥିକ ସ୍ୱାଧୀନତା ଉପରେ ବିଜୁ ପଟ୍ଟନାୟକଙ୍କ ଗୁରୁତ୍ୱକୁ ମନେ ପକାଇ ନବୀନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ଯେ, ଏହି ସଂଶୋଧନ ଦ୍ୱାରା ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ଟିକସ ସମ୍ପଦ କ୍ଷତିର ସମ୍ମୁଖୀନ ହେବ ।
ଏହା ସହିତ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଏହି ଆଇନକୁ ବିରୋଧ କରି ଏକ ସର୍ବସମ୍ମତ ପ୍ରସ୍ତାବ ପାସ୍ କରିବା ପାଇଁ ଅନୁରୋଧ କରିବା ସହ ରାଜ୍ୟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଏବଂ ରାଜ୍ୟର ସାମ୍ବିଧାନିକ ଅଧିକାର ରକ୍ଷା ପାଇଁ ଏକ ମିଳିତ ସର୍ବଦଳୀୟ ବୈଠକ ଡାକିବାକୁ ଅପିଲ୍ କରିଛନ୍ତି । ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ବିଜେଡି ସାଂସଦମାନେ ରାଜ୍ୟସଭାରେ ଏହି ବିଲ୍କୁ ଦୃଢ଼ ବିରୋଧ କରିଥିଲେ, କାରଣ ଏହା ଦ୍ୱାରା ଓଡ଼ିଶା ଭଳି ଖଣିଜ ସମ୍ପଦଯୁକ୍ତ ରାଜ୍ୟଗୁଡ଼ିକୁ ବିପୁଳ ରାଜସ୍ୱ କ୍ଷତି ସହିବାକୁ ପଡ଼ିବ ।
ଏହି ପ୍ରସଙ୍ଗରେ ବିଜେଡି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କେନ୍ଦ୍ରୀୟ ନେତୃତ୍ୱ ବିରୁଦ୍ଧରେ ଆକ୍ରମଣକୁ ଆହୁରି ଜୋରଦାର କରି କେନ୍ଦ୍ର ସରକାର ଓଡ଼ିଶାକୁ ଲୁଟିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ଅଣଦେଖା କରି କେନ୍ଦ୍ର ସରକାର ଖଣିଜ ରାଜସ୍ୱ ସଂଗ୍ରହ କରିବାର ରାଜ୍ୟର ସାର୍ବଭୌମ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଦଳ ପକ୍ଷରୁ କୁହାଯାଇଛି । ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ଏବଂ ରାଜ୍ୟ ସରକାରଙ୍କ ସନ୍ଦେହଜନକ ନୀରବତାକୁ ନେଇ ମଧ୍ୟ ବିଜେଡି ସିଧାସଳଖ ପ୍ରଶ୍ନ ଉଠାଇଛି ।
ଅନ୍ୟପକ୍ଷରେ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଏହାକୁ କଡ଼ା ବିରୋଧ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିବା ସହ ଚେତାବନୀ ଦେଇଛନ୍ତି ଯେ, ଯଦି ଏହି ଆଇନ ପ୍ରତ୍ୟାହୃତ ନ ହୁଏ ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ, ଖଣି ବନ୍ଦ ଏବଂ ଓଡ଼ିଶା ବନ୍ଦ ଡାକରା ଦିଆଯିବ । କଂଗ୍ରେସ ଭବନରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ (INDIA bloc) ଏବଂ ବିଭିନ୍ନ ଆଞ୍ଚଳିକ ଓ ବାମପନ୍ଥୀ ଦଳର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ନିକଟରେ ସ୍ମାରକପତ୍ର ଦେବା ସହିତ ଏହି ବିଲ୍କୁ ବିରୋଧ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନା ଏବଂ ଅନ୍ୟାନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ନୀରବତାକୁ ସମାଲୋଚନା କରିଥିଲେ ।
ଏହି ଆଇନ ଯୋଗୁଁ ଓଡ଼ିଶା ଭଳି ଖଣିଜ ସମ୍ପଦଯୁକ୍ତ ରାଜ୍ୟଗୁଡ଼ିକୁ ପ୍ରତିବର୍ଷ ପ୍ରାୟ ୧୫,୦୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିବ । ଏହାଦ୍ୱାରା ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟସେବା, ନିର୍ମାଣ କାର୍ଯ୍ୟ ଗଭିର ଭାବରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟ ଜମିରେ ପ୍ରଦୂଷଣ ଓ ବିସ୍ଥାପନର କ୍ଷତି ଓଡ଼ିଶାବାସୀ ଭୋଗୁଥିବାବେଳେ ଏହାର ଉପଯୁକ୍ତ ଆର୍ଥିକ ପ୍ରାପ୍ତିରୁ ରାଜ୍ୟକୁ ବଞ୍ଚିତ କରାଯିବା ଅନ୍ୟାୟ ବୋଲି ବିରୋଧୀ ଦଳଗୁଡ଼ିକ ଯୁକ୍ତି ଦର୍ଶାଇଛନ୍ତି ।





