ପିନ୍ ବାର୍ତ୍ତା: ଭୁବନେଶ୍ଵର ସ୍ଥିତ ପ୍ରଭୁ ଲିଙ୍ଗରାଜ ଙ୍କ ମନ୍ଦିରରେ କାର୍ଯ୍ୟରତ ସେବାୟତଙ୍କ ଗୋଷ୍ଠୀଗତ ବିବାଦ ଏଵଂ ପ୍ରଭୁ ଙ୍କ ନୀତିକାନ୍ତି ରେ ବିଳମ୍ବ ହେବା ଏକ ନିତିଦିନିଆ ଘଟଣାର ରୂପ ନେଇଛି। ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଲିଙ୍ଗରାଜ ମନ୍ଦିରରେ ପୁଣି ନୀତିକାନ୍ତି ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ପ୍ରଭୁ ଲିଙ୍ଗରାଜଙ୍କ ଦୈନନ୍ଦିନ ନୀତିରେ ବିଳମ୍ବ ଘଟିଛି।
ସୂତ୍ରରୁ ପ୍ରକାଶ ଯେ, ‘ଶ୍ରାବଣ ପାଉଣା’ ବଣ୍ଟନକୁ ନେଇ ବ୍ରାହ୍ମଣ ଓ ବଡ଼ୁ ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିବା କାରଣରୁ ରବିବାର ସନ୍ଧ୍ୟାରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସେବା କାର୍ଯ୍ୟ ବନ୍ଦ ରହିଛି। ସୋମବାର ସକାଳେ ବାଡୁ ସେବାୟତମାନେ କିଛି କାର୍ଯ୍ୟ କରିଥିଲେ ମଧ୍ୟ ପୂଜାପଣ୍ଡା ସେବାୟତଙ୍କ ଅନୁପସ୍ଥିତି ଯୋଗୁଁ ନୀତି ସମ୍ପୂର୍ଣ୍ଣ ହୋଇପାରି ନଥିଲା। ଫଳରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଶହ ଶହ ଭକ୍ତ ଓ କାଉଡ଼ିଆମାନେ ଧାର୍ମିକ ବିଧିରୁ ବଞ୍ଚିତ ହୋଇ କେବଳ ଜଳ ଢାଳି ନିରାଶ ହୋଇ ଫେରିଥିଲେ।
ତେବେ ଲିଙ୍ଗରାଜ ମନ୍ଦିରରେ ଏଭଳି ବିବାଦ ଏବଂ ନୀତି ବାତିଲ ହେବା କୌଣସି ନୂଆ କଥା ନୁହେଁ। ଏହାପୂର୍ବରୁ ମଧ୍ୟ ଏପରି ଅନେକ ଅଘଟଣ ଘଟିଛି। ଗତ ଏପ୍ରିଲ ୭ ତାରିଖରେ ମଧ୍ୟ ରୂପା ଛାତ ସ୍ଥାପନ ଏବଂ ପୂଜା ନୀତିକୁ ନେଇ ବ୍ରାହ୍ମଣ ଓ ବାଡୁ ନିଯୋଗ ମଧ୍ୟରେ ସଂଘର୍ଷ ଘଟିଥିଲା, ଯାହାଫଳରେ ଅପରାହ୍ନ ପର୍ଯ୍ୟନ୍ତ ନୀତିକାନ୍ତି ସ୍ଥଗିତ ରହିଥିଲା ଏବଂ ଭକ୍ତମାନେ ମନ୍ଦିର ପରିସରରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି, ଚଳିତ ବର୍ଷ ଜାନୁଆରୀ ୧୫ ତାରିଖରେ ମକର ସଂକ୍ରାନ୍ତି ଅବସରରେ ‘ଘୃତ କମଳା ଲାଗି’ ନୀତିକୁ ନେଇ ବ୍ରାହ୍ମଣ ଓ ବାଡୁ ନିଯୋଗ ମଧ୍ୟରେ ବିବାଦ ଉପୁଜିଥିଲା। ଏହି ବିବାଦ ଏତେ ଚରମ ସୀମାରେ ପହଞ୍ଚିଥିଲା ଯେ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିବାରୁ ମହାପ୍ରଭୁ ଭୋକରେ ରହିଥିବା ନେଇ ଚର୍ଚ୍ଚା ହୋଇଥିଲା ଓ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ହସ୍ତକ୍ଷେପ ଲୋଡ଼ା ପଡ଼ିଥିଲା । ସେତେବେଳେ ହାଇକୋର୍ଟଙ୍କ ହସ୍ତକ୍ଷେପ ଏବଂ ପ୍ରଶାସନିକ ସ୍ତରରେ ବୈଠକ କରାଯାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସ୍ଥାୟୀ ସୁଧାର ଆସିନାହିଁ।
ବାରମ୍ବାର ଏପରି ଗୋଷ୍ଠୀଗତ କଳହ ଓ ଅଧିକାର ଜାହିର ଲଢ଼େଇ ଯୋଗୁଁ ସାଧାରଣ ଭକ୍ତଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ ହେଉଛି। ମନ୍ଦିର ପ୍ରଶାସନ ଏବଂ ସରକାର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ରହିଛି।





