ପିନ୍ ବାର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଦେଶକୁ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଓଡ଼ିଶା ସରକାର କଳିଙ୍ଗ ଷ୍ଟାଡିୟମରୁ ‘ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟିଙ୍କ ଉପସ୍ଥିତିରେ ୨ ଅଗଷ୍ଟ ୨୦୨୬ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧ କୋଟିରୁ ଊର୍ଦ୍ଧ୍ୱ ଯୁବକଯୁବତୀ ନିଶାଠାରୁ ଦୂରେଇ ରହିବାକୁ ଶପଥ ନେଇଛନ୍ତି। ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କରାଯାଇଛି। ରାଜ୍ୟରେ ଗଞ୍ଜେଇ ଏବଂ ସିନ୍ଥେଟିକ୍ ଡ୍ରଗ୍ସ ଭଳି ଅବୈଧ ନିଶା କାରବାରକୁ ଦମନ କରିବା ପାଇଁ ସରକାର ‘ଜିରୋ ଟୋଲେରାନ୍ସ’ ନୀତି ଆପଣାଇଛନ୍ତି। ଜୁଲାଇ ୨୦୨୪ ରୁ ଜୁନ୍ ୨୦୨୬ ମଧ୍ୟରେ ଓଡ଼ିଶା ପୋଲିସ ପ୍ରାୟ ୧,୯୧୧ କୋଟି ଟଙ୍କା ମୂଲ୍ୟର ୬୩,୭୨୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ୨,୧୦୬ କୋଟି ଟଙ୍କାର 432 ଟନ୍ ଗଞ୍ଜେଇ ଜବତ କରିଛି ଏବଂ ମାଫିଆଙ୍କ ବିରୁଦ୍ଧରେ ବୁଲଡୋଜର ଆକ୍ସନ୍ ପାଇଁ ଚେତାବନୀ ଦିଆଯାଇଛି।
ମାତ୍ର ଏକପଟେ ଯେତେବେଳେ ସରକାର ଡ୍ରଗ୍ସ ବିରୁଦ୍ଧରେ ଲଢ଼େଇ କରୁଛନ୍ତି, ଅନ୍ୟପଟେ ରାଜ୍ୟର ପ୍ରତି କୋଣ ଅନୁକୋଣରେ ମଦର ଏକ ବିରାଟ ବନ୍ୟା ଛୁଟିଛି, ଯାହା ସାମାଜିକ ସ୍ତରରେ ଏକ ବଡ଼ ବିଡ଼ମ୍ବନା ସୃଷ୍ଟି କରିଛି। ସରକାରଙ୍କ ଗଞ୍ଜେଇ ଏବଂ ଡ୍ରଗ୍ସ ବିରୋଧ ରେ କଡ଼ା ନିଷ୍ପତି ନେବା ନିହାତି ଭାବେ ସ୍ୱାଗତଯୋଗ୍ୟ କିନ୍ତୁ ଦେଖିବାକୁ ଗଲେ ଡ୍ରଗ୍ସ ଏଵଂ ଗଞ୍ଜେଇ ଘରେ ଘରେ ସେଭଳି ପରିଚିତ ନୁହଁ ଯେମିତି ଗଳି କନ୍ଦି ରୁ ନେଇ ସହର ପର୍ୟ୍ୟନ୍ତ ମଦ ପରିଚିତ। ଦୁର୍ଭାଗ୍ୟ ବଶତଃ ଓଡ଼ିଶାରେ ମଦ ବ୍ୟବସାୟ ଏକ ଲାଭଜନକ ବ୍ୟବସାୟ ରେ ପରିଣତ ହୋଇଛି। ରାଜ୍ୟର ସମସ୍ତ ୧,୧୬୪ଟି ଖୁଚୁରା ମଦ ଦୋକାନ ଆବଣ୍ଟନ ପାଇଁ ହୋଇଥିବା ଲଟେରୀ ପ୍ରକ୍ରିୟାରେ ପ୍ରବଳ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ଏବଂ ମୋଟ ୨୯,୦୦୦ ଆବେଦନପତ୍ର ଜମା ହୋଇଥିଲା। କେବଳ ଫର୍ମ ବିକ୍ରି ଓ ଆବେଦନ ଫି ବାବଦକୁ ସରକାର ସର୍ବକାଳୀନ ରେକର୍ଡ ୮୪୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ମୋଟ ଅବକାରୀ ରାଜସ୍ୱରେ ୧୧୨ ପ୍ରତିଶତର ଅଭୂତପୂର୍ବ ବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୫,୪୦୦.୨୧ କୋଟି ଟଙ୍କା ଥିବା ରାଜସ୍ୱ କ୍ରମାଗତ ଭାବେ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୧,୪୨୯.୭୪ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି କେବଳ ବିୟର ବିକ୍ରି ପ୍ରାୟ ୨୫୬ ପ୍ରତିଶତ ବଢ଼ି ୨୦୨୪-୨୫ ବେଳକୁ ୧,୬୭୮.୭୭ ଲକ୍ଷ ବଲ୍କ ଲିଟରରେ ପହଞ୍ଚିଛି। ଏହି ଅଭୂତପୂର୍ବ ରାଜସ୍ୱ ବୃଦ୍ଧି ସରକାରୀ ପାଣ୍ଠିକୁ ସମୃଦ୍ଧ କରୁଥିଲେ ହେଁ, ସାଧାରଣ ଗରୀବ ପରିବାର ଓ ନିମ୍ନବର୍ଗର ଲୋକମାନଙ୍କ ପାଇଁ ଏହା ବରବାଦୀର କାରଣ ପାଲଟିଛି। ଘରର ମୁରବି ମଦ୍ୟପାନରେ ଜଡ଼ିତ ହେବା ଦ୍ୱାରା ପରିବାରରେ ଅନାହାର, ଦାରିଦ୍ର୍ୟ, ଘରୋଇ ହିଂସା ଏବଂ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି, ଯାହାର ସିଧାସଳଖ କୁପ୍ରଭାବ ଛୋଟ ପିଲାଙ୍କ ଭବିଷ୍ୟତ ଉପରେ ପଡ଼ୁଛି। ରାଜ୍ୟ ରେ ମଦ ବନ୍ୟା ଛୁଟିବା ପଛରେ କେଉଁଠି ନା କେଉଁଠି ସରକାର ଙ୍କ ହାତ ମଧ୍ୟ୍ୟ ରହିଛି।
ମଦର ଏହି ପ୍ରାଦୁର୍ଭାବ ବିରୁଦ୍ଧରେ ଓଡ଼ିଶାରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ମହିଳାମାନେ ରାଜ୍ୟବ୍ୟାପୀ ପ୍ରତିବାଦ ଏବଂ ଆନ୍ଦୋଳନ ଜାରି ରଖିଛନ୍ତି। ଗ୍ରାମାଞ୍ଚଳରେ ନୂତନ ମଦ ଦୋକାନ ଖୋଲାଯିବା ଏବଂ ଦେଶୀ ମଦ ପେଣ୍ଠ ସୃଷ୍ଟି ହେବାକୁ ବିରୋଧ କରି ଶହ ଶହ ମହିଳା ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଲ ସେହିଭଳି ଭବେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଶତାୟୁ ସଂଗ୍ରାମୀ ପଦ୍ମ ଚରଣ ନାୟକଙ୍କ ନେତୃତ୍ୱରେ ‘ତ୍ରିରଙ୍ଗା ଯାତ୍ରା’ ଆଜି ୫୩ ଦିନରେ ପହଞ୍ଚିଛି। ସରକାର ରାଜ୍ୟକୁ ମଦମୁକ୍ତ ଘୋଷଣା ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ନିମାଇଁ ରାୟ ଓ ମାଧବାନନ୍ଦ ଶାନ୍ତି ପ୍ରମୁଖ ଏହାକୁ ସମର୍ଥନ କରିଛନ୍ତି। ଯାଜପୁର, କେନ୍ଦୁଝର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ଜଗତସିଂହପୁର ଭଳି ଅଞ୍ଚଳ ରେ ବ୍ୟାପକ ଭାବରେ ଆନ୍ଦୋଳନ ଚାଲିଛି।
ତେଣୁ, କେବଳ ଡ୍ରଗ୍ସ ବିରୁଦ୍ଧରେ ଅଭିଯାନ ଚଳାଇଲେ କିମ୍ବା କାଗଜପତ୍ରରେ ଶପଥ ପାଠ କରାଇଲେ ‘ନିଶାମୁକ୍ତ ଭାରତ’ର ସ୍ୱପ୍ନ ସମ୍ପୂର୍ଣ୍ଣ ସଫଳ ହୋଇପାରିବ ନାହିଁ। ଯେପର୍ଯ୍ୟନ୍ତ ସରକାର ରାଜସ୍ୱ ମୋହ ତ୍ୟାଗ କରି ମଦ ବ୍ୟବସାୟ ଓ ଟେଣ୍ଡର ପ୍ରକ୍ରିୟା ଉପରେ କଡ଼ା କଟକଣା କିମ୍ବା ନିଷେଧାଦେଶ ଜାରି କରିନାହାଁନ୍ତି, ସେପର୍ଯ୍ୟନ୍ତ ସମାଜକୁ ଏକ ପ୍ରକୃତ ନିଶାମୁକ୍ତ ଦିଗରେ ନେଇଯିବା ଏକ ବଡ଼ ଆହ୍ୱାନ ହୋଇ ରହିବ।





