ଫାଇଲ ଚୋରିର ମହାଭିଯୋଗ

ପିନ୍ ବାର୍ତ୍ତା: ଓଡ଼ିଶାର ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି ଅତି ସମ୍ବେଦନଶୀଳ ନ୍ୟାୟିକ ତଦନ୍ତ କମିଶନ ରିପୋର୍ଟ ନିଖୋଜ ହେବା ଘଟଣା ରାଜ୍ୟରେ ଏକ ଆଲୋଡ଼ନ ସୃଷ୍ଟି କରିଛି । ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଏନେଇ ଏଫ୍‌ଆଇଆର୍‌ ଦାୟର କରାଯିବା ସହ ଏକ ଗମ୍ଭୀର ଅପରାଧିକ ଷଡ଼ଯନ୍ତ୍ରର ଆଶଙ୍କା କରାଯାଇଛି । ଯେଉଁ କାର୍ଯ୍ୟାଳୟ ଉପରେ ସାରା ରାଜ୍ୟର ସୁରକ୍ଷା ଓ ଶାସନ ବ୍ୟବସ୍ଥାର ଦାୟିତ୍ୱ ରହିଛି, ସେଠାରୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦସ୍ତାବିଜ ଚୋରି ବା ଗାୟବ ହୋଇଯିବା କେବଳ ଏକ ସାଧାରଣ ବାକ୍ସ କିମ୍ବା ଆଲମାରିର ଅବହେଳା ନୁହେଁ, ବରଂ ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଜନସାଧାରଣଙ୍କ ଜବାବଦେହିତା ପ୍ରତି ଏକ ଶକ୍ତ ଆହ୍ୱାନ । ଗାୟବ ହୋଇଥିବା ଦଲିଲଗୁଡ଼ିକ ଓଡ଼ିଶାର ଦୁଇଟି ବଡ଼ ଟ୍ରାଜେଡି ସହ ଜଡ଼ିତ । ପ୍ରଥମଟି ହେଉଛି କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ମାମଲା, ଯାହାର ତଦନ୍ତ ଜଷ୍ଟିସ ଏ.ଏସ. ନାଇଡୁ କମିଶନ କରିଥିଲେ ଏବଂ ଦ୍ୱିତୀୟଟି ହେଉଛି ଭୁବନେଶ୍ୱର ସମ୍ (SUM) ହସ୍ପିଟାଲରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ । ଏହି ଦୁଇଟିଯାକ ଘଟଣାରେ ଅନେକ ନିରୀହ ଜୀବନ ଯାଇଥିଲା ଏବଂ ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ବହୁ ଅର୍ଥ ଓ ସମୟ ଖର୍ଚ୍ଚ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।
ଏହି ଦସ୍ତାବିଜ ଗାୟବ ହେବା ପଛର ଟାଇମଲାଇନ୍‌ ବେଶ୍ ରହସ୍ୟଜନକ । ଜଷ୍ଟିସ ନାଇଡୁ କମିଶନ ନିଜର ପ୍ରାୟ ୧,୫୦୦ ରୁ ୨,୦୦୦ ପୃଷ୍ଠାର ଏକ ବିଶାଳ ତଦନ୍ତ ରିପୋର୍ଟକୁ ୨୦୧୬ ମସିହା ସେପ୍ଟେମ୍ବର ୧୬ ତାରିଖରେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାରଙ୍କୁ ହସ୍ତାନ୍ତର କରିଥିଲେ । ଏହାର ଠିକ୍ ତିନି ଦିନ ପରେ, ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)କୁ ପଠାଯାଇଥିଲା । ସେହିପରି ୨୦୧୮ ମସିହାରେ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ରିପୋର୍ଟ ମଧ୍ୟ ସିଏମଓକୁ ପଠାଯାଇଥିଲା । ମାତ୍ର ନିକଟରେ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ରିପୋର୍ଟଗୁଡ଼ିକ ସେଠାରେ ନାହିଁ ଏବଂ ସେପ୍ଟେମ୍ବର ୧୯ ପରେ ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲର କୌଣସି ବିବରଣୀ ସରକାରୀ ସ୍ତରରେ ମିଳୁନାହିଁ ।

୨୦୨୪ ମସିହା ଜୁନ୍ ୪ ତାରିଖରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ସିଏମଓରୁ ଅନେକ ଫାଇଲ ଗୃହ ବିଭାଗକୁ ଫେରିଥିଲେ ମଧ୍ୟ ଏହି ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସେଥିରେ ନଥିଲା । ଏହାକୁ ନେଇ ବର୍ତ୍ତମାନର ବିଜେପି ସରକାର ଓ ବିରୋଧୀ ଦଳ ମଧ୍ୟରେ ଏକ ଚିଠି ଯୁଦ୍ଧ ଆରମ୍ଭ ହୋଇଛି । ୨୦୨୫ ଅକ୍ଟୋବର ୨୩ ଏବଂ ନଭେମ୍ବର ୪ ତାରିଖରେ ବର୍ତ୍ତମାନର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ସରକାରୀ ଚିଠି ପଠାଯାଇ ଏହି ହଜିଯାଇଥିବା ଫାଇଲ୍ ଗୁଡ଼ିକ ବିଷୟରେ ତଥ୍ୟ ମାଗିଥିଲେ । ଏହାର ଜବାବରେ ୨୦୨୫ ନଭେମ୍ବର ୧୫ ତାରିଖରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ (PS) ଏକ ପ୍ରତ୍ୟୁତ୍ତର ଚିଠି ଲେଖି ଜଣାଇଥିଲେ ଯେ, ନବୀନ ପଟ୍ଟନାୟକ ନିଜେ ଏହି ନିଖୋଜ ଫାଇଲ୍‌ଗୁଡ଼ିକୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ତାର କିଛି ଖୋଜ୍ ଖବର ମିଳିନି ।

ତେବେ ଏହି ଦୀର୍ଘ ବିଳମ୍ବ ପ୍ରଶାସନିକ ଶିଥିଳତା କିମ୍ବା କୌଣସି ରାଜନୈତିକ ସମୀକରଣ ଆଡ଼କୁ ଇସାରା କରୁଛି ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏଥିସହିତ ପ୍ରାୟ ୨,୦୦୦ ପୃଷ୍ଠାର ଏକ ବିରାଟ ଦସ୍ତାବିଜ ହଠାତ୍ ଗାୟବ ହୋଇଯିବା ସ୍ପଷ୍ଟ ଅନୁମେୟ କରାଉଛି ଯେ, ଏହି ଫାଇଲଗୁଡ଼ିକୁ କୌଣସି ନିର୍ଦ୍ଦିଷ୍ଟ ସ୍ୱାର୍ଥ ରଖି ଉଦ୍ଦେଶ୍ୟମୂଳକ ଭାବେ ଲୁଚାଇ ଦିଆଯାଇଛି, ଚୋରି କରାଯାଇଛି କିମ୍ବା ନଷ୍ଟ କରିଦିଆଯାଇଛି। ସରକାରୀ ସ୍ତରରେ ଏଭଳି ବିଶ୍ୱାସଘାତକତା ପ୍ରଶାସନର କାର୍ଯ୍ୟଶୈଳୀ ଓ ନଥିପତ୍ର ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ କାଠଗଡ଼ାକୁ ଟାଣିଛି ।

ଏହି ମହା-ଅଭିଯୋଗକୁ ନେଇ ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି ହେବା ସୁନିଶ୍ଚିତ, କାରଣ ଏହି ଦୁଇଟିଯାକ ରିପୋର୍ଟ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏଥିରେ ଥିବା ସତ୍ୟକୁ ସାଧାରଣ ଲୋକଙ୍କ ନଜରରୁ ଦୂରେଇ ରଖିବା ପାଇଁ ହୁଏତ ଏଭଳି ହୀନ ପ୍ରୟାସ କରାଯାଇଥାଇପାରେ । ତଦନ୍ତ କମିଶନ ଗଠନର ମୂଳ ଉଦ୍ଦେଶ୍ୟ ହେଉଛି ସତ୍ୟର ଉନ୍ମୋଚନ କରିବା, ଯଦି ସେହି ରିପୋର୍ଟ ହିଁ ସୁରକ୍ଷିତ ନରୁହେ, ତେବେ ଶାସନ ବ୍ୟବସ୍ଥା ଉପରୁ ସାଧାରଣ ଜନତାଙ୍କ ଭରସା ତୁଟିଯିବ । ଓଡ଼ିଶାବାସୀଙ୍କୁ ଏହି ଘଟଣାର ସତ୍ୟ ଜାଣିବାର ପୂରା ଅଧିକାର ଅଛି । ତେଣୁ ପୋଲିସ ବିନା କୌଣସି ରାଜନୈତିକ ଚାପରେ ଏହାର ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ସମୟବଦ୍ଧ ତଦନ୍ତ କରିବା ଉଚିତ । ସରକାରୀ ଦସ୍ତାବିଜ ହେରଫେର କରିଥିବା ଅସଲ ଦୋଷୀମାନଙ୍କୁ ଚିହ୍ନଟ କରି କଠୋର ଆଇନଗତ ଶାସ୍ତି ପ୍ରଦାନ କରାଯିବା ଆବଶ୍ୟକ, ଯେପରି ଭବିଷ୍ୟତରେ ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟର ସମ୍ମାନ ଓ ବିଶ୍ୱସନୀୟତା ପ୍ରତି କେହି ଆଙ୍ଗୁଠି ଉଠାଇ ପାରିବେ ନାହିଁ ।

  • Related Posts

    ଟ୍ରାଫିକ୍ ଭିଡ଼ ମଧ୍ୟରେ ଫ୍ଲାଏଓଭର କାମ, ଭୁବନେଶ୍ୱରରେ ୪୫ ଦିନ ଯାତାୟାତ ପ୍ରଭାବିତ

    ପିନ୍ ବାର୍ତ୍ତା: ଭୁବନେଶ୍ୱରର ସବୁଠାରୁ ବ୍ୟସ୍ତବହୁଳ ଜୟଦେବ ବିହାର-ନନ୍ଦନକାନନ କରିଡରରେ ଟ୍ରାଫିକ୍ ଜାମ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ବହୁପ୍ରତୀକ୍ଷିତ ରାସ୍ତା ଭିତ୍ତିଭୂମି ପ୍ରକଳ୍ପ ହାତକୁ ନେଇଛନ୍ତି। କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ଆଗାମୀ ୪୫ ଦିନ…

    ଓଡ଼ିଶାରେ କାର୍ଯ୍ୟକ୍ଷମ ହୋଇଛି ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର: ପ୍ରତାପ ରାଓ ଯାଦବ

    ପିନ୍ ବାର୍ତ୍ତା: ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୪୨୨ଟି ଆୟୁଷ ଡିସପେନ୍ସରୀକୁ ସୁଦୃଢ଼ କରି ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ (ୱେଲନେସ୍‌ ସେଣ୍ଟର)ରେ ପରିଣତ କରାଯାଇଛି। ଏହି…

    Leave a Reply

    Your email address will not be published. Required fields are marked *

    You Missed

    ଜେନ ଜି ଙ୍କ ସମର୍ଥନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

    ଜେନ ଜି ଙ୍କ ସମର୍ଥନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

    ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଏପାଖ ସେପାଖ

    ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଏପାଖ ସେପାଖ

    ଟ୍ରାଫିକ୍ ଭିଡ଼ ମଧ୍ୟରେ ଫ୍ଲାଏଓଭର କାମ, ଭୁବନେଶ୍ୱରରେ ୪୫ ଦିନ ଯାତାୟାତ ପ୍ରଭାବିତ

    ଟ୍ରାଫିକ୍ ଭିଡ଼ ମଧ୍ୟରେ ଫ୍ଲାଏଓଭର କାମ, ଭୁବନେଶ୍ୱରରେ ୪୫ ଦିନ ଯାତାୟାତ ପ୍ରଭାବିତ

    ଓଡ଼ିଶାରେ କାର୍ଯ୍ୟକ୍ଷମ ହୋଇଛି ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର: ପ୍ରତାପ ରାଓ ଯାଦବ

    ଓଡ଼ିଶାରେ କାର୍ଯ୍ୟକ୍ଷମ ହୋଇଛି ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର: ପ୍ରତାପ ରାଓ ଯାଦବ

    ଘରେ ଘରେ ସୌରଶକ୍ତି ଉତ୍ପାଦନ ବଢ଼ାଇବାକୁ ୭୫,୦୨୧ କୋଟି ବରାଦ: ଶ୍ରୀପଦ ନାୟକ

    ଘରେ ଘରେ ସୌରଶକ୍ତି ଉତ୍ପାଦନ ବଢ଼ାଇବାକୁ ୭୫,୦୨୧ କୋଟି ବରାଦ: ଶ୍ରୀପଦ ନାୟକ

    ମଦର ବନ୍ୟାରେ କେମିତି ସଫଳ ହେବ ନିଶା ମୁକ୍ତ ଯୁବ ଓଡ଼ିଶା?

    ମଦର ବନ୍ୟାରେ କେମିତି ସଫଳ ହେବ ନିଶା ମୁକ୍ତ ଯୁବ ଓଡ଼ିଶା?