ନିର୍ବାଚନ ଆସିଲେ ଓଡ଼ିଶା ସମେତ ସାରା ଦେଶର ରାଜନୀତିରେ ‘ଦଳ ବଦଳ’ ଏକ ସାଧାରଣ ଘଟଣା ପାଲଟିଯାଏ । ନିଜର ଦଳୀୟ ଆଦର୍ଶ , ନୀତି ଓ ନିଷ୍ଠାକୁ ଜଳାଞ୍ଜଳି ଦେଇ କେବଳ ଟିକେଟ୍ ପାଇବା କିମ୍ବା କ୍ଷମତା ଭୋଗ କରିବା ଆଶାରେ ନେତାମାନେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଡେଇଁବାକୁ ସାମାନ୍ୟତମ କୁଣ୍ଠାବୋଧ କରୁନାହାନ୍ତି । ଓଡ଼ିଶା ରାଜନୀତିରେ ଏଭଳି ଅନେକ ବଡ଼ ବଡ଼ ପ୍ରଭାବଶାଳୀ ଚେହେରା ଦେଖିବାକୁ ମିଳିଛନ୍ତି , ଯେଉଁମାନେ ନିଜର ଦଶନ୍ଧି ଦଶନ୍ଧିର ପୁରୁଣା ଦଳ ଛାଡ଼ି ନିର୍ବାଚନ ପୂର୍ବରୁ ବିରୋଧୀ ଶିବିରରେ ସାମିଲ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦେବାଶିଷ ନାୟକ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ଏବଂ ପଦ୍ମ ଧରିବା ଘଟଣା ରାଜ୍ୟ ରାଜନୀତିକୁ ବେଶ୍ ଉଷ୍ମ କରିଥିଲା । କେବଳ ସେତିକି ନୁହେଁ , ବିଜେଡିର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର , ପ୍ରଦୀପ ପାଣିଗ୍ରାହୀ , ଏବଂ ପ୍ରକାଶ ବେହେରାଙ୍କ ଭଳି ପ୍ରମୁଖ ନେତାମାନେ ମଧ୍ୟ ନିଜ ନିଜର ପୁରୁଣା ରାଜନୈତିକ ପରିଚୟ ବଦଳାଇ ନୂଆ ଦଳର ପତାକା ଧରିଛନ୍ତି । କଂଗ୍ରେସ ଓ ବିଜେଡି ଛାଡ଼ି ବିଜେପିକୁ ଯିବା କିମ୍ବା ବିଜେପିରୁ ଆସି ବିଜେଡିରେ ମିଶିବା ଭଳି ଦୃଶ୍ୟ ଓଡ଼ିଶାର କୋଣ ଅନୁକୋଣରେ ଦେଖିବାକୁ ମିଳିଛି ।
ଏହି ଦଳ ବଦଳ ପ୍ରକ୍ରିୟା ରାଜ୍ୟର ସାମଗ୍ରୀକ ରାଜନୀତି , ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସର୍ବୋପରି ସାଧାରଣ ଜନତାଙ୍କୁ ଗଭୀର ଭାବେ ପ୍ରଭାବିତ କରୁଛି । ଯେତେବେଳେ ଜଣେ ନେତା ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଚିହ୍ନ ଓ ଆଦର୍ଶକୁ ନେଇ ଜନସାଧାରଣଙ୍କ ପାଖକୁ ଯାଆନ୍ତି , ଲୋକେ ତାଙ୍କୁ ଏବଂ ତାଙ୍କ ଦଳୀୟ ଚିନ୍ତାଧାରାକୁ ବିଶ୍ୱାସ କରି ଭୋଟ୍ ଦେଇଥାନ୍ତି । କିନ୍ତୁ କ୍ଷମତା ଓ ଟିକେଟ୍ ଲୋଭରେ ନେତାଜଣକ ନିର୍ବାଚନ ସମୟରେ ଦଳ ବଦଳାଇବା କ୍ଷଣି , ସେହି ସାଧାରଣ ଭୋଟରଙ୍କ ବିଶ୍ୱାସ ଓ ଜନାଦେଶ ପ୍ରତି ଏକ ବଡ଼ ପ୍ରତାରଣା ହୋଇଥାଏ । ଏହାଦ୍ୱାରା ସାଧାରଣ ଲୋକଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ନେତାମାନଙ୍କ କଥା ଉପରୁ ଆସ୍ଥା ସମ୍ପୂର୍ଣ୍ଣ ତୁଟିଯାଏ ଏବଂ ସେମାନେ ନିଜକୁ ଅସହାୟ ମଣନ୍ତି ।
ଏଣେ ରାଜନୀତିରେ ସ୍ଥିରତା ନରହିବା ଯୋଗୁଁ ରାଜ୍ୟର ବିକାଶମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୁଏ । ନେତାମାନେ ଜନହିତକର କାର୍ଯ୍ୟ କରିବା ଅପେକ୍ଷା ନିଜର ସୀଟ୍ କିପରି ସୁରକ୍ଷିତ ରହିବ ଏବଂ ନୂଆ ଦଳରେ ନିଜର ଦପ୍ଦବା କିପରି ବଢ଼ିବ , ସେହି ଅଙ୍କକଷାରେ ହିଁ ସମୟ ବିତାନ୍ତି । ପରିଣାମସ୍ୱରୂପ , ସାଧାରଣ ଜନତାଙ୍କର ମୌଳିକ ସମସ୍ୟା ଗୁଡ଼ିକ ଅଗ୍ରାଧିକାର ପାଇପାରେ ନାହିଁ । ଏଭଳି ଦଳବଦଳ ରାଜନୀତି ଗଣତନ୍ତ୍ରକୁ ଏକ ବ୍ୟବସାୟରେ ପରିଣତ କରିଦେଉଛି , ଯେଉଁଠାରେ ଜନସେବା ନୁହେଁ , ବରଂ ବ୍ୟକ୍ତିଗତ ସ୍ୱାର୍ଥ ହିଁ ସର୍ବୋପର ସାଜୁଛି । ଯଦି ଭୋଟରମାନେ ଏହି ସ୍ୱାର୍ଥପର ନେତାମାନଙ୍କୁ ଉଚିତ୍ ଜବାବ ନଦେବେ , ତେବେ ଗଣତନ୍ତ୍ରର ମୂଲ୍ୟବୋଧ ଏମିତି ଲୁଣ୍ଠିତ ହେଉଥିବ ।






