ପିନ୍ ବାର୍ତ୍ତା: ନିକଟରେ ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଥିବା ଏକ ହୋଟେଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ରୋଷେଇ ଗ୍ୟାସ ଲିକ୍ ଯୋଗୁଁ ଘଟିଥିବା ଏହି ଦୁର୍ଘଟଣାରେ ୨୨ ଜଣ ନିରୀହ ଲୋକଙ୍କର ମୃତ୍ୟୁ ଘଟିଛି , ଯେଉଁଥିରେ ଅନେକ ବିଦେଶୀ ନାଗରିକ ମଧ୍ୟ ସାମିଲ ଅଛନ୍ତି । ଏହି ଘଟଣା ପ୍ରମାଣ କରିଛି ଯେ ବେଆଇନ ନିର୍ମାଣ , କେବଳ ଗୋଟିଏ ପ୍ରବେଶ ପଥ ଏବଂ ଅଗ୍ନି ନିରାପତ୍ତା ପ୍ରମାଣପତ୍ର (Fire NOC) ନଥାଇ ବ୍ୟବସାୟ କରିବା କେତେ ବଡ଼ ବିପଦ ଆଣିପାରେ ।
ଠିକ୍ ସେହିପରି , ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟରେ ଗତ ଜୁନ୍ ୮ ତାରିଖ ଦିନ ଏକ ବଡ଼ ଧରଣର ବିସ୍ଫୋରଣ ଘଟି ଭୟାବହ ଅଗ୍ନିକାଣ୍ଡ ହୋଇଛି । ପ୍ଲାଣ୍ଟର ଷ୍ଟିଲ ମେଲ୍ଟିଂ ଶପ୍ରେ ପ୍ରାୟ ୧୬୦୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାର ତରଳ ଲୁହା ବୋହି ନେଉଥିବା ଏକ ବଡ଼ ପାତ୍ର (Ladle) ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୮ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି , ଯେଉଁମାନଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ିଯାଇଛି । ଶିଳ୍ପ ସଂସ୍ଥାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାରେ ରହୁଥିବା ବଡ଼ ତ୍ରୁଟି ଏବଂ ନିୟମିତ ରକ୍ଷଣାବେକ୍ଷଣର ଅଭାବ କାରଣରୁ ଏଭଳି ଦୁର୍ଘଟଣା ଘଟୁଛି , ଯାହା ଶ୍ରମିକମାନଙ୍କ ଜୀବନକୁ ସମ୍ପୂର୍ଣ୍ଣ ବିପଦକୁ ଠେଲି ଦେଉଛି ।
କେବଳ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ନୁହେଁ , ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଚଳିତ ବର୍ଷ ଅଗ୍ନିକାଣ୍ଡର ଅନେକ ବଡ଼ ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ୩ ଜଣ ଲୋକଙ୍କର ଜୀବନ ଚାଲିଯାଇଛି । ସେହିପରି ଲିଙ୍ଗିପୁର ଅଞ୍ଚଳର ଏକ ଚାରି ମହଲା ମାର୍କେଟ୍ କମ୍ପ୍ଲେକ୍ସରେ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ନିଆଁ ଜଳିଥିଲା , ଯେଉଁଠାରେ ନିଆଁ ଲିଭାଇବା ପାଇଁ ରୋବୋଟିକ୍ ମେସିନର ସାହାଯ୍ୟ ନେବାକୁ ପଡ଼ିଥିଲା । ଏହାବାଦ୍ ରସୁଲଗଡ଼ ଏବଂ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଗୋଦାମରେ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି ।
ଏହି ସମସ୍ତ ଘଟଣା ପଛରେ କେତେକ ନିର୍ଦ୍ଦିଷ୍ଟ କାରଣ ରହିଛି । ପ୍ରଥମତଃ , ଅଧିକାଂଶ ବହୁତଳ ପ୍ରାସାଦ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବେଆଇନ ଭାବେ ଅତିରିକ୍ତ ମହଲା ନିର୍ମାଣ କରାଯାଉଛି , ଯାହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ବାହାରିବା ପାଇଁ ରାସ୍ତା ରହୁନାହିଁ । ଦ୍ୱିତୀୟତଃ , ଗରମ ଦିନରେ ଅତ୍ୟଧିକ ଏସି (AC) ବ୍ୟବହାର ଯୋଗୁଁ ତାର ଉପରେ ଚାପ ପଡ଼ି ସର୍ଟ ସର୍କିଟ୍ ହେଉଛି । ତୃତୀୟତଃ , ଅନେକ ସ୍ଥାନରେ ଜ୍ୱଳନଶୀଳ ପଦାର୍ଥ ଯେପରିକି ପ୍ଲାଷ୍ଟିକ୍ , ରବର କିମ୍ବା ଗ୍ୟାସ ସିଲିଣ୍ଡରକୁ ଅତି ଅସୁରକ୍ଷିତ ଭାବେ ଗଚ୍ଛିତ କରି ରଖାଯାଉଛି । ସବୁଠାରୁ ବଡ଼ କଥା ହେଲା , ନିୟମକୁ ଆଖିଠାର ମାରି ବିନା ଫାୟାର୍ କ୍ଲିୟରାନ୍ସରେ ଏହିସବୁ ସ୍ଥାନ ଅପରେଟ୍ କରୁଛି ।
ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଜନିତ ସର୍ବନାଶରୁ ବଞ୍ଚିବା ପାଇଁ ଏବେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରିବାର ଜରୁରୀ ସମୟ ଆସିଛି । ପ୍ରତ୍ୟେକ ହୋଟେଲ , ମଲ୍ , ଆପାର୍ଟମେଣ୍ଟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଥିବା ଅଗ୍ନି ନିରାପତ୍ତା ଉପକରଣ ଯେପରିକି ଫାୟାର ଏକ୍ସଟିଙ୍ଗୁଇସର ଓ ସ୍ପ୍ରିଙ୍କଲର ଠିକ୍ ଭାବେ କାମ କରୁଛି କି ନାହିଁ , ତାହା ଅଗ୍ନିଶମ ବିଭାଗ ଦ୍ୱାରା ନିୟମିତ ଯାଞ୍ଚ କରାଯିବା ଉଚିତ । ଏହା ସହିତ ପ୍ରତି ବଡ଼ ବିଲ୍ଡିଂରେ ଜରୁରୀକାଳୀନ ପ୍ରସ୍ଥାନ ପଥ (Emergency Exit) ସବୁବେଳେ ସଫା ଏବଂ ପ୍ରଶସ୍ତ ରହିବା ବାଧ୍ୟତାମୂଳକ ହେବା ଦରକାର । ଯେଉଁ ସଂସ୍ଥାଗୁଡ଼ିକ ନିୟମ ଉଲ୍ଲଂଘନ କରି ବିନା ଫାୟାର୍ ଏନଓସି (NOC) ରେ ଚାଲୁଛନ୍ତି , ସେଗୁଡ଼ିକୁ ସଙ୍ଗେ ସଙ୍ଗେ ସିଲ୍ କରାଯାଇ ମାଲିକଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଏଥିସହ ସର୍ବସାଧାରଣ ସ୍ଥାନ ଓ ବିଲ୍ଡିଂରେ ରହୁଥିବା ଲୋକ କିମ୍ବା କର୍ମଚାରୀମାନଙ୍କ ପାଇଁ ନିୟମିତ ମକ୍ ଡ୍ରିଲ୍ କରାଯାଇ ନିଆଁ ଲିଭାଇବା ଏବଂ ଜରୁରୀକାଳୀନ ସମୟରେ ସୁରକ୍ଷିତ ବାହାରିବାର ଉପାୟ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ ।
ସୁରକ୍ଷା ପ୍ରତି ସାମାନ୍ଯ ଅବହେଳା ମଧ୍ୟ ଜୀବନ ପ୍ରତି ଭାରି ପଡ଼ିପାରେ , ତେଣୁ ସରକାର ଓ ଜନସାଧାରଣ ଉଭୟ ମିଳିମିଶି ଅଗ୍ନି ନିରାପତ୍ତା ନିୟମକୁ ଅକ୍ଷର ଅକ୍ଷର ପାଳନ କରିବା ଜରୁରୀ ଅଟେ ।





