ସୁଦାମ ଶେଖର (ପିନ୍ ବାର୍ତ୍ତା): ଧାର୍ମିକ ଭାବନା ହିଁ ଭାରତକୁ ଏକଜୁଟ କରି ରଖିଛି । ସବୁବେଳେ କିଛି ନା କିଛି ଉତ୍ସବ ପର୍ବ କୌଣସି ନା କୌଣସି ଜାଗାରେ ଚାଲିଥାଏ । ଏବେ ଶ୍ରାବଣ ମାସରେ ଆମେ ରାଖୀ ପୂର୍ଣ୍ଣିମା ପାଳନ କରିବା । ଉତ୍ତର ଭାରତରେ ବେଶ ଉତ୍ସାହର ସହ କାଉଡି ଯାତ୍ରା ଆରମ୍ଭ ହେଉଛି । ଆମର ଏଠି ବୋଲ ବମ ବୋଲି କହୁଛୁ । କିନ୍ତୁ ଯେଉଁ ଭକ୍ତି ସହ ଜଳ ଯାତ୍ରା ହେବା କଥା ତାହା ହେଉନାହିଁ । ପ୍ରଥମେ କାଉଡ଼ିଆଙ୍କର ଜଳ ଯାତ୍ରା କିଛି ବ୍ୟବସାୟୀ ଙ୍କୁ ବେଶ ମାଲାମାଲ କରିଦିଏ । ପୋଷାକ, କାଉଡ଼ି ଆଦିକୁ ନେଇ ବେପାର । ସତେ ଯେମିତି ଜଳ ଯାତ୍ରା ପାଇଁ ଏହା ଏକ ବାଧ୍ୟତାମୂଳକ ୟୁନିଫର୍ମ ।
ନିଷ୍ଠାପର କାଉଡ଼ିଆଙ୍କୁ ଦେଖିଲେ ନିଜ ମନରେ ବି ଭକ୍ତି ଭାବ ଜାଗ୍ରତ ହେଇଯାଏ । ସବୁ ସୋମବାର ନୁହେଁ, ପୁରା ଶ୍ରାବଣ ମାସରେ ନିରାମିଷ ସାତ୍ତ୍ଵିକ ଭୋଜନ କରି ରହନ୍ତି ମହିଳା ଓ ପୁରୁଷ ମାନେ । କିନ୍ତୁ କିଛି ଲୋକ ଏ ସମୟରେ ବିପୁଳ ପରିମାଣରେ ମାଦକ ଦ୍ରବ୍ୟର ବ୍ୟବସାୟ କରନ୍ତି । କାଉଡ଼ିଆମାନେ ମାଦକ ଦ୍ରବ୍ୟ ସେବନ କରିବା ଦେଖାଯାଉଛି । ଈଶ୍ୱର ଭକ୍ତି ନାମରେ ବିଭିନ୍ନ ଶ୍ରୁତି କଟୁ ଭଜନ ସଙ୍ଗୀତ ବଜାରକୁ ଆସିଯାଏ । ସେ ସଙ୍ଗୀତ ର ତାଳେ ତାଳେ ଡିଜେ ବଜାଇ ରାସ୍ତାରେ ନାଚ କରି କରି କାଉଡ଼ିଆ ମାନେ ଯିବା ଦେଖିବାକୁ ମିଳୁଛି । ରାସ୍ତାରେ ଜାମ ହେବା, ଦୁର୍ଘଟଣା ଘଟିବା, ଓ କିଛି କାଉଡ଼ିଆ ଙ୍କ ଉନ୍ମତ୍ତ କାଣ୍ଡ ବି ଖବରକାଗଜ ରେ ମୁଖ୍ୟ ଖବର ହୋଇ ମଣ୍ଡିତ ହୁଏ । ଭକ୍ତି ଭାବନା କୁଆଡ଼େ ଚାଲିଯାଏ । ଈଶ୍ୱର ଚିନ୍ତନ ଓ ଭକ୍ତି ଭାବ ଏଗୁଡ଼ିକ ଦ୍ୱାରା ହିଁ ସମ୍ଭବ କି ?
ଜୟ ଶିବଶମ୍ଭୁ!






