ଢେମ୍ସାକୁ ବିଶ୍ୱ ଦରବାରରେ ପହଞ୍ଚାଇଲା ଆନ୍ଧ୍ର, ନିଜ ଐତିହ୍ୟକୁ ନେଇ ପୁଣି ନୀରବ ରହିଲା ଓଡ଼ିଶା
ଇତିହାସ ବୋଧହୁଏ ପୁଣି ନିଜକୁ ଦୋହରାଉଛି । ଯେଉଁ ଲୋକନୃତ୍ୟକୁ କୋରାପୁଟର ଆଦିବାସୀ ଜୀବନର ଅବିଚ୍ଛିନ୍ନ ଅଂଶ ବୋଲି ଅନେକ ଗବେଷଣା ଓ ଲୋକପରମ୍ପରା ଦର୍ଶାଉଛି, ସେହି ଢେମ୍ସା ଆଜି ବିଶ୍ୱ ମଞ୍ଚରେ ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ପରିଚୟ ଭାବେ ଚର୍ଚ୍ଚାରେ । ଭୋଗାପୁରମ ବିମାନବନ୍ଦର ଉଦ୍ଘାଟନ ଅବସରରେ ୧୩ ହଜାରରୁ ଅଧିକ ମହିଳାଙ୍କ ଢେମ୍ସା ନୃତ୍ୟ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛି । ସଫଳତା ନିଶ୍ଚିତ ଭାବେ ପ୍ରଶଂସନୀୟ । କିନ୍ତୁ ଏହା ସହ ଓଡ଼ିଶା ପାଇଁ ଏକ ଅସ୍ୱସ୍ଥକର ପ୍ରଶ୍ନ ମଧ୍ୟ ଛାଡ଼ି ଯାଇଛି; ନିଜ ସଂସ୍କୃତିକୁ ବିଶ୍ୱ ସାମ୍ନାରେ ଉପସ୍ଥାପନ କରିବାରେ ଆମେ ବାରମ୍ବାର କାହିଁକି ବିଫଳ ହେଉଛୁ ?
କାର୍ଯ୍ୟକ୍ରମରେ ବ୍ୟବହୃତ ଗୀତ କୋରାପୁଟିଆ ଦେଶିଆ ଓଡ଼ିଆ ଭାଷାର । ନୃତ୍ୟର ମୂଳକୁ ନେଇ ମଧ୍ୟ ଅନେକ ଗବେଷକ କୋରାପୁଟକୁ ଉଲ୍ଲେଖ କରିଛନ୍ତି । ତଥାପି ସମଗ୍ର ଆୟୋଜନର ସରକାରୀ ପ୍ରଚାରରେ ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ପରିଚୟକୁ ଆଗରେ ରଖାଯାଇଥିବାରୁ ସୋସିଆଲ ମିଡିଆରେ ଅନେକେ ପ୍ରଶ୍ନ କରିଛନ୍ତି, କୋରାପୁଟର ଐତିହ୍ୟକୁ ଯଥାଯଥ ସ୍ୱୀକୃତି କେଉଁଠି ?
ଏଠାରେ ମୂଳ ପ୍ରଶ୍ନ ଆନ୍ଧ୍ରପ୍ରଦେଶକୁ ନେଇ ନୁହେଁ । ପ୍ରଶ୍ନ ହେଉଛି ଓଡ଼ିଶାର ଉଦାସୀନତାକୁ ନେଇ । ପଡ଼ୋଶୀ ରାଜ୍ୟ ନିଜ ସଂସ୍କୃତିର ପ୍ରଚାର ପାଇଁ ଯୋଜନା କରୁଛି, ବିଶ୍ୱ ରେକର୍ଡ କରୁଛି, ପର୍ଯ୍ୟଟନ ସହ ଯୋଡ଼ୁଛି । ଆଉ ଓଡ଼ିଶା ? ନିଜର ଲୋକନୃତ୍ୟ, ଲୋକଗୀତ ଓ ଆଦିବାସୀ ପରମ୍ପରାକୁ ନେଇ ଏପରି ବଡ଼ ମଞ୍ଚ ସୃଷ୍ଟି କରିବାରେ ବାରମ୍ବାର ପଛରେ ପଡ଼ୁଛି । ଫଳରେ ଅନ୍ୟ ରାଜ୍ୟ ଯେତେବେଳେ ଏହି ପରମ୍ପରାକୁ ବଡ଼ ପରିସରରେ ଉପସ୍ଥାପନ କରେ, ସେତେବେଳେ ଓଡ଼ିଶା ପାଖରେ କେବଳ ପ୍ରତିବାଦ କରିବା ବ୍ୟତୀତ ଆଉ କିଛି ରହେ ନାହିଁ ।
ଏହା ପ୍ରଥମ ଘଟଣା ନୁହେଁ । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ବିବାଦ, ଶ୍ରୀଜଗନ୍ନାଥ ପରମ୍ପରାକୁ ନେଇ ବିଭିନ୍ନ ସମୟରେ ଉଠିଥିବା ତର୍କ, ଓଡ଼ିଶୀ ଐତିହ୍ୟର ଅନ୍ୟାନ୍ୟ ଉପାଦାନକୁ ନେଇ ସମୟ ସମୟରେ ସୃଷ୍ଟି ହୋଇଥିବା ମତଭେଦ, ସବୁ ଘଟଣା ଗୋଟିଏ କଥା କହୁଛି । ଓଡ଼ିଶା ନିଜ ଐତିହ୍ୟର ସୁରକ୍ଷା ଓ ପ୍ରଚାରରେ ଯେତେ ତତ୍ପର ହେବା କଥା, ସେତେ ହୋଇପାରିନାହିଁ ।

ସଂସ୍କୃତି କେବଳ ଭାବନାର ବିଷୟ ନୁହେଁ । ଏହା ପରିଚୟ, ପର୍ଯ୍ୟଟନ, ଅର୍ଥନୀତି ଓ ରାଜ୍ୟର ବ୍ରାଣ୍ଡିଂ ସହ ମଧ୍ୟ ଜଡ଼ିତ । ଯିଏ ନିଜ ସଂସ୍କୃତିକୁ ଭଲଭାବେ ଉପସ୍ଥାପନ କରିପାରେ, ଜାତୀୟ ମଞ୍ଚରେ ସେହି ରାଜ୍ୟର ପରିଚୟ ଅଧିକ ମଜବୁତ ହୁଏ । ଏହି କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ୁଥିବା ବେଳେ, ଓଡ଼ିଶାର ପଦକ୍ଷେପ ସେତେଟା ଦୃଶ୍ୟମାନ ହେଉନାହିଁ ବୋଲି ସଂସ୍କୃତି ମହଲରେ ମତ ପ୍ରକାଶ ପାଉଛି ।
ଢେମ୍ସା ବିବାଦ ପୁଣି ଥରେ ଗୋଟିଏ ସତର୍କବାଣୀ ଦେଇଛି । ନିଜର ଐତିହ୍ୟକୁ କେବଳ ପୁସ୍ତକରେ ଲେଖି ରଖିଲେ ହେବ ନାହିଁ । ତାହାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ପଡ଼ିବ। ନଚେତ୍ ଆଗାମୀ ଦିନରେ ଆଉ ଅନେକ ଲୋକପରମ୍ପରାକୁ ନେଇ ସମାନ ପ୍ରଶ୍ନ ଉଠିବ, ଆଉ ଓଡ଼ିଶା ପୁଣି ଥରେ କେବଳ ଦର୍ଶକ ସାଜି ରହିଯିବ ।






