ରଜ : ମାଟିର ଋତୁସ୍ରାବ, ଜୀବନର ଉତ୍ସବ

ପିନ୍ ବାର୍ତ୍ତା (ବିଶ୍ବରାଜ ନାୟକଙ୍କ କଲମରୁ): “ଋତୁସ୍ରାବ”( Menstruation) ଆଜି ମଧ୍ୟ ତଥାକଥିତ ସଭ୍ୟ ସମାଜରେ ଅନେକଙ୍କ ପାଇଁ ଏକ ନିଷିଦ୍ଧ-ଶଦ୍ଦ, ଅଗଣିତ ସଚେତନତା ଅଭିଯାନ ଚାଲିଥିବା ସତ୍ତ୍ୱେ ! ଏକ ସାଧାରଣ ଓ ସ୍ୱାଭାବିକ ଶାରିରୀକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିବା ବେଳେ ଅନେକ ମହିଳା ଏବେ ବି ଅସହଜ ମନେ କରନ୍ତି । ଏହି ସଙ୍କୋଚ କାରଣରୁ ବିଶ୍ୱବ୍ୟାପି ଋତୁସ୍ରାବ ପାଇଁ ପାଞ୍ଚ ହଜାରରୁ ଅଧିକ ଛଦ୍ମ ବା ପରୋକ୍ଷ ଶବ୍ଦ ( Euphemisms) ପ୍ରଚଳିତ ।

କିନ୍ତୁ ଆମେ ଓଡ଼ିଆ, ନାରୀର ଏହି ମାସିକ ଧର୍ମକୁ ନେଇ କେବେ ରକ୍ଷଣଶୀଳ ମନୋବୃତ୍ତି ରଖିନୁ, କେବେ ଏହାକୁ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ରଖିବାକୁ ଚେଷ୍ଟା କରିନୁ । ଋତୁସ୍ରାବ କେବେ ମଧ୍ୟ ଓଡ଼ିଆ ସମାଜରେ ସଙ୍କୋଚ, ଅସ୍ବଚ୍ଛ ଅବସ୍ଥା ବା ଲଜ୍ଜାର ପ୍ରସଙ୍ଗ ନୁହେଁ । ବରଂ ଆମେ ଏହାର ସମ୍ମାନରେ, ଓ ସମର୍ଥନରେ, ଏହା ପ୍ରତି ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ପାଇଁ, ମଧ୍ୟଯୁଗରୁ ପାଳି ଆସିଛୁ “ରଜ ପର୍ବ” । ଆମର ପ୍ରିୟ ପର୍ବ “ରଜ” ଭୂଦେବୀଙ୍କ ଋତୁସ୍ରାବକୁ ଉତ୍ସବ ଭାବେ ପାଳନ କରେ । ରଜ ଶବ୍ଦଟି “ରଜସ୍ୱଳା”ରୁ ଆସିଛି, ଯାହାର ଅର୍ଥ ହେଉଛି ଋତୁମତୀ । ନାରୀର ପ୍ରଜନନ ଶକ୍ତିକୁ ସମ୍ମାନ ଦେଇ, କୃତଜ୍ଞତାର ସହ ଓଡ଼ିଆ ଜାତି ପାଳନ କରୁଥିବା ଏହି ପର୍ବ ଆମର ପ୍ରଗତିଶୀଳ ଚିନ୍ତାଧାରାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ଧରିତ୍ରୀ ରଜସ୍ୱଳା ଥିବା କାରଣରୁ ରଜରେ ଭୂମିର ଖନନ, ଦହନ, କର୍ଷଣ ନିଷିଦ୍ଧ ହୋଇଥାଏ । ଏହି ପରମ୍ପରା ଆମକୁ ଋତୁମତୀ ନାରୀଙ୍କ ପ୍ରତି ଯତ୍ନଶୀଳ,ସମ୍ବେଦନଶୀଳ ଓ ସମ୍ମାନଜନକ ରହିବାର ଶିକ୍ଷା ଦିଏ । ଋତୁସ୍ରାବକୁ ଅଶୌଚ ସ୍ଥିତି ସହ ତୁଳନା ନ କରି ମଧ୍ୟ “ବସୁମତୀ ସ୍ନାନ” ମାଧ୍ୟମରେ ପରିଷ୍କାର-ପରିଚ୍ଛନ୍ନତାର ଆବଶ୍ୟକତା ସମ୍ପର୍କରେ ଆମକୁ ଶିକ୍ଷା ଦିଏ ।

ଏହି ପର୍ବ ନାରୀତ୍ୱର ଏକ ମହାନ ଉତ୍ସବ । ନୂତନ ଜୀବନର ସୃଷ୍ଟିକର୍ତ୍ତ୍ରୀ ଭାବେ ନାରୀଙ୍କ ଗର୍ଭଧାରଣ ଶକ୍ତି ଓ ସୃଜନକ୍ଷମତାକୁ ଏହା ସମ୍ମାନ ଜଣାଏ । ନାରୀଙ୍କ ଶୃଙ୍ଗାର, ବିଶ୍ରାମ, ଆନନ୍ଦ, କ୍ରୀଡ଼ା ଓ ସ୍ୱାଧୀନ ଇଚ୍ଛାକୁ କେନ୍ଦ୍ର କରି ଗଢ଼ିଉଠିଥିବା ଏହି ନାରୀ-କୈନ୍ଦ୍ରିକ ପର୍ବ ଓଡ଼ିଆ ସମାଜରେ ନାରୀ ପ୍ରତି ଥିବା ସମ୍ମାନ, ସମ୍ବେଦନଶୀଳତା ଏବଂ ଲିଙ୍ଗଗତ ସମାନତାର ଏକ ସୁନ୍ଦର ପ୍ରତିଫଳନ । ସକାଳୁ ସଞ୍ଜ ଯାଏଁ ବିଭିନ୍ନ ରୂପରେ, ବିଭିନ୍ନ ସମ୍ପର୍କରେ ନିଜକୁ ବିସ୍ତାରି ଚାଲିଥିବା ନାରୀଟିର ଅଧିକାର, ମନସ୍ତତ୍ତ୍ୱ ଓ ସ୍ୱତନ୍ତ୍ର ସାମାଜିକ-ସ୍ଥିତିକୁ ନେଇ ଯେଉଁ ସମୟରେ ସମଗ୍ର ବିଶ୍ୱ ଉଦାସୀନ ଓ ସନ୍ଦିହାନ ଥିଲା, ସେହି ସମୟରେ ଓଡ଼ିଆ ସମାଜ ନାରୀର ବିଶ୍ରାମ, ଆରାମ, ଓ ମନୋରଞ୍ଜନ ନିମିତ୍ତ ରଜ ଭଳି ପର୍ବର ପରିକଳ୍ପନା କରିଥିଲା l

ମେଘ ଓ ପୃଥିବୀର ମିଳନର ସ୍ୱାଗତ କରୁଥିବା ଏହି ପର୍ବ ଓଡ଼ିଆଙ୍କ ପ୍ରକୃତି ସହ ଥିବା ନିବିଡ଼ତାକୁ ସୂଚିତ କରିବା ସହ ସୃଷ୍ଟିର ସଂରକ୍ଷଣ ପାଇଁ ଆବଶ୍ୟକ ଥିବା ନାରୀ ଓ ପୁରୁଷର ମିଳନ ଉପରେ ମଧ୍ୟ ଗୁରୁତ୍ୱାରୋପ କରେ । କୌଣସି ପରିବାର ଏକାକୀ ଏହାକୁ ପାଳନ କରି ପାରିବ ନାହିଁ, ଏହି ଉତ୍ସବ ପାଳନ ପାଇଁ ଆବଶ୍ୟକ ପଡ଼େ ସମାଜର ସାମୂହିକ ଭାଗିଦାରୀ । ପାରିବାରିକ ବନ୍ଧନ ଓ ସାମାଜିକ ସମ୍ପର୍କକୁ ସୁଦୃଢ଼ କରୁଥିବା ହେତୁ ରଜ ଏକ ଗଣପର୍ବ ଭାବେ ବିବେଚିତ । ପାରିବାରିକ ସମ୍ପର୍କର ଉଷ୍ମତା, ପ୍ରେମ-ବିଚ୍ଛେଦ-ବିରହର ତିକ୍ତ-ମଧୁର ଅନୁଭୂତି ଓ ଓଡ଼ିଆ ସାମାଜିକ ଜୀବନର ସାବଲୀଳତା ରଜଗୀତରେ ପ୍ରତିଫଳିତ ହୁଏ ଏବଂ ସୂଚାଇ ଦିଏ ଯେ ଜୀବନକୁ ଅନ୍ତରଙ୍ଗତାର ସହ ଭଲପାଇବାର ପର୍ବ ହେଉଛି ରଜ ।

ନୂଆଁ ଖାଇ ଓ ରଜ – ଏ ଦୁଇଟି ପର୍ବ ସରକାରୀ ପ୍ରୋତ୍ସାହନରେ,
ସମଗ୍ର ଓଡ଼ିଶାରେ ପାଳିତ ହେବାର ଆବଶ୍ୟକତା ରହିଛି; ଓଡ଼ିଶାର ଐକତ୍ଵ ପାଇଁ, ଓଡ଼ିଆ ଅସ୍ମିତାକୁ ରୁଦ୍ଧିମନ୍ତ କରିବା ପାଇଁ । ରଜ କେବଳ ଏକ ପର୍ବ ନୁହେଁ, ଏକ ଜୀବନ ଦର୍ଶନ । ରଜ କେବଳ ଉତ୍ସବ ପାଳନର ଉଲ୍ଲାସରେ ସୀମାବଦ୍ଧ ନ ରହୁ; ବରଂ ଏହାର ଅନ୍ତର୍ନିହିତ ବାର୍ତ୍ତା ଆମର ନାରୀ, ସମାଜ ଓ ପ୍ରକୃତି ପ୍ରତି ଥିବା ଆଭିମୂଖ୍ୟ ଓ ଆଚରଣକୁ ପ୍ରଭାବିତ କରୁ ।

ଆସନ୍ତୁ, ଏହି ଖାଣ୍ଟି ଓଡ଼ିଆ ପର୍ବର ରଙ୍ଗରେ ନିଜକୁ ରଙ୍ଗେଇ ନେବା । ସାମର୍ଥ୍ୟ ଥିଲେ ଅନାଥାଶ୍ରମରେ ରହୁଥିବା, ଓ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ନ ଥିବା ପରିବାରର ଛୋଟ ଛୋଟ ଝିଅଙ୍କ ପାଇଁ ନୂଆ ପୋଷାକର ବ୍ୟବସ୍ଥା କରି ତାଙ୍କୁ ମଧ୍ୟ ଏହି ପର୍ବରେ ସାମିଲ ହେବାର ଖୁସି ଦେବା । ବଙ୍ଗାଳୀ ଭାଷାର ପ୍ରଭାବରେ, ବ୍ରିଟିଶ ଅମଳରୁ, ଆମେ ରଜକୁ ଇଂରାଜୀରେ ରଜୋ ଭାବେ ଲେଖି ଆସୁଛୁ । ତେଣୁ କୌଣସି ପ୍ରତିଷ୍ଠାନ, ଅନୁଷ୍ଠାନ ବା ବିଜ୍ଞାପନରେ ରଜ(Raja)କୁ ରଜୋ (Rajo) ଲେଖାଯାଇଥିଲେ, ଆସନ୍ତୁ, ଶାନ୍ତିପୂର୍ଣ୍ଣ ଭାବେ ଆମେ ଏହାର ବିରୋଧ କରିବା; କାରଣ ରଜ କେବଳ ଏକ ପର୍ବ ନୁହେଁ, ଇଏ ଆମର ପରିଚୟ ।

Related Posts

ବାବା ରାମଦେବଙ୍କ ନୂଆ ରୂପ; ଜେନ ଜି ଙ୍କୁ ଭୟ ?

ପିନ୍ ବାର୍ତ୍ତା: ସ୍ୱାଧୀନତା ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ଏକ ବିବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ବ୍ୟାପୁଥିବା ଅରାଜକତା, ବିଦ୍ୟାଳୟମାନଙ୍କରେ ଶିକ୍ଷକ, ବିଦ୍ୟୁତ୍ ଏବଂ ଜଳର ଅଭାବ, ପ୍ରଶ୍ନପତ୍ର ଲିକ ଏବଂ ସରକାରୀ ଚାକିରି…

କେବଳ ଆଦିବାସୀ ଦିବସ ପାଳନରେ ବିକାଶ ସମ୍ଭବ କି?

ପିନ୍ ବାର୍ତ୍ତା: ଓଡ଼ିଶା ସମେତ ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ World Tribal Day ଅବା ବିଶ୍ୱ ଆଦିବାସୀ ଦିବସ ଭାବେ ବଡ଼ ଧୂମଧାମରେ ପାଳନ କରାଯାଇଛି । କିନ୍ତୁ ଏହି ଉତ୍ସବର ଚାକଚକ୍ୟ ଭିତରେ ଓଡ଼ିଶାର ଆଦିବାସୀ ଙ୍କୁ…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ